ଖୁବଶୀଘ୍ର ଓଡ଼ିଶାରେ ଗଡିବାକୁ ଯାଉଛି ମେଟ୍ରୋ । ଏଥିଲାଗି ଚାଲିଛି ଜୋରଦାର ପ୍ରସ୍ତୁତି। ଖାଲି ପ୍ରସ୍ତୁତି ନୁହେଁ ମେଟ୍ରୋକୁ କେଉଁଠି ରଖାଯିବ ତଥା ଯାନ୍ତ୍ରିକ ତ୍ରୁଟି ସମୟରେ କେଉଁଠି ମରାମତି କରାଯିବ ସେନେଇ ମଧ୍ୟ ସରିଛି ମାଷ୍ଟର-ପ୍ଳାନ । ମେଟ୍ରୋ ଟ୍ରେନ୍ ପାଇଁ ବାରଙ୍ଗରେ ତିଆରି ହେବ ଷ୍ଟକୟାର୍ଡ ଓ ରିପ୍ୟାରିଂ ୟାର୍ଡ । ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୂଳିଆ ଯାତାୟତ କରିବ ଏହି ମେଟ୍ରୋ ଟ୍ରେନ୍ ।
ତେବେ ସେହି ସମୟରେ ଯଦି କୌଣସି ଯାନ୍ତ୍ରିକ ତ୍ରୁଟି ହୁଏ କିମ୍ବା କୌଣସି ଅସୁବିଧା ତା’ର ତୁରନ୍ତ ସମାଧାନ ପାଇଁ ଏହି ୱାର୍କସପ୍ କରାଯିବ । ଏନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଙ୍ଗ ଅଞ୍ଚଳରୁ ୫୦ ଏକର ଜମିର ସ୍ଥାନ ନିରୂପଣ କରାଯାଇଛି । ଖୁବଶୀଘ୍ର ଏହି ସ୍ଥାନ ନିରୂପଣ କରାଯାଇ କାର୍ଯ୍ୟ ଆରମ୍ଭ ହେବ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ସୂଚନା ଦେଇଛନ୍ତି ।
ତେବେ ଏହା ଖୁବଶୀଘ୍ର ଆରମ୍ଭ ହେବବୋଲି ସୂଚନା ରହିଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଥିବା ସମସ୍ତ ମୁଖ୍ୟ କାର୍ଯ୍ୟକୁ ଅନୁଧ୍ୟାନ କରାଯିବା ସହ ତ୍ୱରାନ୍ୱିତ କରାଯିବା ନେଇ ଆଲୋଚନା ହୋଇଛି ।
