ଆଜିଠୁ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼ ପାଲଟିବ ମଥୁରା ନଗରୀ, ଅମ୍ବାପଲ୍ଲୀ ହେବ ଗୋପପୁର

ବରଗଡ଼ ପାଲଟିବ ମଥୁରା ନଗରୀ, ଅମ୍ବାପଲ୍ଲୀ ହେବ ଗୋପପୁର । ଜିରା ନଦୀ ପାଲଟିଯିବ ଯମୁନା, ଆଉ ବରଗଡ଼ ସହରବାସୀ ପାଲଟିଯିବେ ଜଣେ ଜଣେ କଳାକାର । ୧୧ ଦିନ ଚାଲିବ କଂସ ମହାରାଜଙ୍କ ରାଜୁତି । ଆଜିଠୁ ଆରମ୍ଭ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ଧନୁଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ପୁରା ବରଗଡ଼ ସହର ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି । ୧୧ଦିନ ଧରି ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଂଚରେ ଦ୍ୱାପର ଯୁଗର କୃଷ୍ଣ ଲୀଳାର ଝଲକ ଦେଖିବାକୁ ମିଳିବ, କାରଗାରରେ ଜନ୍ମଠାରୁ ନେଇ ଲୀଳାଖେଳା ଏବଂ କଂସ ବଦ୍ଧକୁ ନେଇ ୧୧ଦିନ ଧରି ଚାଲିବ ବିଭିନ୍ନ କାର୍ୟ୍ୟକ୍ରମ । ୮କିଲୋମିଟର ପରିଧି ମଧ୍ୟରେ ରାଜଦରବାର, ରଙ୍ଗମହଲ ଏବଂ ନନ୍ଦ ରାଜାଙ୍କ ଦରବାର ସମେତ ୧୦ଟି ସ୍ଥାନରେ ଧନୁଯାତ୍ରା ଅନୁଷ୍ଠିତ ହେବ । ପ୍ରଥମ ଦିନରେ ଦେବକୀ-ବସୁଦେବ ବିବାହ , ଦୈବବାଣୀ, ଉଗ୍ରସେନକୁ ଗାଦିଚ୍ୟୁତ କରି ଆରମ୍ଭ ହେବ କଂସ ମହାରାଜାଙ୍କ ରାଜୁତି । ୧୧ଦିନ ଧରି ଚାଲିବାକୁ ଥିବା ଧନୁଯାତ୍ରାରେ ମେଳା ମହୋତ୍ସବ ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ଦେଖିବାକୁ ମିଳିବ ।