ଧନୁଯାତ୍ରା ପାଇଁ ବରଗଡ଼ ଯିବେ ମୁଖ୍ୟମନ୍ତ୍ରୀ
ଆଜି ଧନୁଯାତ୍ରା ଦେଖିବା ସହ ରାଜ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସନ୍ଧ୍ୟାରେ ବରଗଡ଼ ଯିବେ । ସେଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ତେବେ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶନିବାର ନବମ ଦିବସରେ ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ,ବଳରାମଙ୍କୁ ମେଲାଣି ଦେବାବେଳେ ଗୋପବାସୀ ଭାବବିହ୍ୱଳ ହୋଇ ପଡ଼ିଥିଲେ। ଅପରପକ୍ଷେ ଶ୍ରୀକୃଷ୍ଣ, ବଳରାମଙ୍କୁ ଧରି ଅକ୍ରୂର ନନ୍ଦ ଭବନରୁ ବାହାରିଥିଲେ । ବେନି ଭାଇ ଗୋପ ପରିକ୍ରମା କରି ଗୋପ ମଣ୍ଡପରେ ପହଞ୍ଚିଥିଲେ। ଗୋପବାସୀ ବେନିଭାଇଙ୍କ ସମେତ ଅକ୍ରୁରଙ୍କୁ ପୂଜାର୍ଚ୍ଚନା କରିଥିଲେ। ଅକ୍ରୂର ବେନିଭାଇଙ୍କୁ ଧରି ମଥୁରା ଅଭିମୁଖେ ବାହାରୁ ଥିବାବେଳେ ନନ୍ଦରାଣୀ, ନନ୍ଦରାଜା ବାଟ ଓଗାଳିଥିଲେ। ଶ୍ରୀକୃଷ୍ଣଙ୍କୁ ମେଲାଣି ଦେବା ସମୟରେ ନନ୍ଦରାଣୀ, ନନ୍ଦରାଜାଙ୍କ ସମେତ ସମସ୍ତ ଗୋପବାସୀ ଭାବବିହ୍ବଳ ହୋଇ ପଡ଼ିଥିଲେ। ଶ୍ରୀକୃଷ୍ଣଙ୍କ ବିରହରେ ରାଧା ପଥରୋଧ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ବିଫଳ ହୋଇଥିଲେ। ସେହିପରି ଗୋପୀ, ଗୋପାଙ୍ଗନା, ଗୋପାଳ ବାଳକମାନେ ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେକ୍ଷ ଶ୍ରୀକୃଷ୍ଣ, ବଳରାମ ମଥୁରା ପ୍ରବେଶ କରି ଖଜୁରଟିକ୍ରା ଆଦିମାତା ମଠରେ ବିଶ୍ରାମ ନେଇଥିଲେ । ଏହି ଦୃଶ୍ୟାଭିନୟ ଦେଖିବା ପାଇଁ ପ୍ରବଳ ଭିଡ଼ ହୋଇଥିଲା।
