ଆଜି ଶ୍ରୀଜିଉଙ୍କ ବନଭୋଜି ବେଶ

ଶ୍ରୀମନ୍ଦିରରେ ବକାସୁର ବଧ ନୀତି

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନଭୋଜି ବେଶ । ମଙ୍ଗଳବାର ଠାରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଯେଉଡ଼ ଭୋଗ ପରେ ବୁଧବାର ଶ୍ରୀକୃଷ୍ଣ ଜନ୍ମନୀତି ଓ ଗୁରୁବାର ନନ୍ଦ ଉତ୍ସବ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥିଲା । ଏହାପରେ ଆଜିଠୁ ମହାପ୍ରଭୁଙ୍କୁ ବିଭିନ୍ନ ବେଶରେ ସଜିତ କରାଯିବ । ଭାଦ୍ରବ କୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରରେ ବନଭୋଜି ବେଶ ସହ କୋଳିବିକା ନୀତି, ବକାସୁର ବଧ ଓ ଅର୍ଘାସୁର ବଧ ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନଧୂପ ପରେ ରାମକୃଷ୍ଣ ଦୁଇ ଚଳନ୍ତି ପ୍ରତିମାଙ୍କୁ ପୂଜାପଣ୍ଡା ସେବକ ମାନେ  ଆଜ୍ଞାମାଳ ପ୍ରଦାନ କରିବେ । ଏହାପରେ ବିମାନରେ ବସାଇ ସିଂହଦ୍ଵାର ନିକଟସ୍ଥ ବଡଛତା ମଠ ପାର୍ଶ୍ବରେ ଥିବା ଏକ କାଠ ସିଂହାସନକୁ ବିଜେ କରାଇବେ । ଲେଙ୍କା ସେବକ ଶବରୁଣୀ ବେଶ ହୋଇ ଗୁଆକୋଳି ଓ ନଡ଼ିଆ ପାତି ମିଶାଇ ଏକ ବାଉଁଶିଆରେ ଧରି ଆସି ସେଠାରେ ନୀତି ସମ୍ପାଦନ କରିବେ । ଭିତରଚ୍ଛ ମହାପାତ୍ର ଉକ୍ତ ଶବରୁଣୀଠାରୁ କୋଳି ଆଣି ମହାପ୍ରଭୁଙ୍କୁ ସମର୍ପଣ ଓ ମଣୋହି କରିଵା ପରେ ପୂଜାପଣ୍ଡା ସେଠାରେ ଶୀତଳ ଭୋଗ ଓ ଭିତରଚ୍ଛ ମହାପାତ୍ର ବନ୍ଦାପନା ନୀତି କରିବେ । ସନ୍ଧ୍ୟାଧୂପ ପରେ ଠାକୁରମାନଙ୍କୁ ବନଭୋଜି ବେଶରେ ସୁସଜ୍ଜିତ କରାଯିବ । ଏହି ବେଶରେ ଶ୍ରୀଜିଉମାନେ ଶ୍ରୀଭୁଜରେ ରୂପା ପିଙ୍ଗଣରେ ସର ଧାରଣ ସହ  ଅନ୍ୟ ହସ୍ତରେ ନଉଡି ଧରିଥାନ୍ତି । ବନଭୋଜି ବେଶରେ ଠାକୁରମାନଙ୍କୁ ପ୍ରାୟ 18 ପ୍ରକାର ସ୍ବର୍ଣ୍ଣ ଅଳଙ୍କାରରେ ସଜା ଯାଇଥାଏ ।