ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ
ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବଳିବାମନ ବେଶ । ଗତକାଲି ବାମନ ଜନ୍ମ ନୀତି ସମ୍ପର୍ଣ୍ଣ ହୋଇଥିଲା । ବାମନ ରୂପୀ ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ । ଶ୍ରୀବଳଭଦ୍ର ରାଜ ବେଶ ଧାରଣ କରିବାକୁ ଥିବା ବେଳେ ଦେବୀ ସୁଭଦ୍ରା ସାଧାରଣ ବେଶରେ ସଜିତ ହେବେ । ଶ୍ରୀମନ୍ଦିରରେ ଦ୍ବିପହର ଧୂପ ସରିବା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ବାମନ ବେଶରେ ସଜ୍ଜିତ କରାଯିବ । ଏହି ବେଶ ବଡ଼ସିଂହାର ପୂଜା ପର୍ଯ୍ୟନ୍ତ ରହିବ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସ୍ଵର୍ଣ୍ଣ ଅଳଙ୍କାର ବିଭୂଷିତ କରାଯିବ। ମହାପ୍ରଭୁ ବିଷ୍ଣୁ ପଞ୍ଚମ ଅବତାରରେ ବାମନ ରୂପ ନେଇ ବଳି ମହାରାଜଙ୍କୁ ପାତାଳରେ ଚାପି ଦେଇଥିଲେ। ତେଣୁ ସେହି ସ୍ମୃତିକୁ ବହନ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ ଶହ ଶହ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଛି ।ମଧ୍ୟାନ ଧୂପ ପୂଜା ବଢିବାପରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବଳି ବାମନ ବେଶ ଧାରଣ କରିଥାନ୍ତି। ଏହି ଦିନ ମହାପ୍ରଭୁଙ୍କୁ ସ୍ବର୍ଣ୍ଣ ଶ୍ରୀଭୁଜ, ଶ୍ରୀ ପୟର ଓ ସ୍ୱର୍ଣ୍ଣ କିରୀଟରେ ଆଭୂଷିତ ହୋଇଥାନ୍ତି । ମଥାରେ ଜୁଡା ଯୁକ୍ତ କେଶର ରୂପ ସୃଷ୍ଟି ପାଇଁ ଦରଜି ଦେଇଥିବା କଳା କନାର ଗୋଟିଏ ମଥା ବରଣ ବ୍ୟବହୃତ ହୁଏ । ସେହି କଳା କନାର ସମ୍ମୁଖ ପଟେ ଧଳା କନା ସିଲେଇ କିଛି ଧଳା ଗାର ସୃଷ୍ଟି ହୋଇଥାଏ । ଏହା ଭସ୍ମରେଖା ବା ତିଳକର ପ୍ରତୀକ ରୂପେ ଗୃହୀତ ହୁଏ । ଏକ କିରୀଟ ମସ୍ତକ ଉପରେ ଶୋଭା ପାଇ ଥାଏ ନାଗପୁରୀ ଜୁକ୍ତ ଧଳା ଦେହରେ କଳା ରଙ୍ଗର ଧଡି ଜୁକ୍ତ ଲୁଗା କୁ ଅତିଭ ଭାବରେ ଦୋକଛା ମରାହୋଇ ପିନ୍ଧିଥାନ୍ତି ମହାପ୍ରଭୁ ।ଏହି ବେଶରେ ମହାପ୍ରଭୁଙ୍କ ଶ୍ରୀଭୁଜର ବାମ ହସ୍ତରେ ଏକ ଛତ୍ରୀ ଓ ଡାହାଣ ହସ୍ତରେ କୁଶଯୁକ୍ତ ରୂପାର ଗଡୁ ଧରାଯାଇ ଏକ ବାମନରୂପୀ ନୈଷ୍ଠିକ ବ୍ରାହ୍ମଣ ବେଶରେ ମହାପ୍ରଭୁଙ୍କୁ ଭୂଷିତ କରାଯାଇଥାଏ । ସତ୍ୟ ଯୁଗରେ ଯେଉଁପରି ଭାବରେ ବାମନ ଆବିର୍ଭାବ ହୋଇଥିଲେ ମାହାପ୍ରଭୁଙ୍କୁ ଠିକ ସେହିପରି ଭାବରେ ବେଶ ଲାଗି କାରାଯାଇଥାଏ । ଏହାକୁ ବଳିବାମନ ବେଶ ବୋଲି କୁହାଜାଏ ।ବାମନ ବେଶରେ ମହାପ୍ରଭୁଙ୍କୁ ସ୍ବର୍ଣ୍ଣ ଅଳଙ୍କାର ସବୁ ଲାଗିକାରାଯାଏ ସ୍ବର୍ଣ୍ଣ ର ଶ୍ରୀ ପୟର , କିରିଟ , ଶ୍ରୀ ଭୁଜ , ଆଡକାନୀ, ସୂର୍ଯ୍ୟ, ଚନ୍ଦ୍ର , ଘାଗଡା ମାଳି, ବାହାଡା ମାଳି, ତାବିଜ ମାଳି , କଦମ୍ବ ମାଳି , ହରିଡା ମାଳି , ସେବତୀ ମାଳି, ଚନ୍ଦ୍ରିକା, ତିଳକ ଶ୍ରିମୁଖ ପଦ୍ମ , ଅଳକା , ତଡକି, କୁଣ୍ଡଳ ଏବଂ ଓଡିଆଣି ଏ ସମସ୍ତ ସ୍ବର୍ଣ୍ଣ ଅଳଙ୍କାରରେ ଠାକୁରଙ୍କୁ ସଜେଇ ଦିଆଯାଏ ଏବଂ ଅତିବ ଚିତା କର୍ଷକ ବଳିବାମନ ବେଶ ରେ ସଜ୍ଜିତ ହୋଇଥାନ୍ତି ବଡ଼ସିଂହାର ପୂଜା ପର୍ଯ୍ୟନ୍ତ ଏହି ବେଶ ରହିଥାଏ ।
