ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ

ଆଖି ବୁଜିଲେ ବଳଙ୍ଗା ପୀଡ଼ିତା

ଆଖି ବୁଜିଲେ ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ନେଇ ସୂଚନା ମିଳିଛି । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବର ଏମ୍ସରୁ ଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ କରାଯାଇଥିଲା ଜୁଲାଇ ୧୯ରେ ପୀଡ଼ିତାଙ୍କୁ ଜାଳିଥିଲେ ଦୁର୍ବୃତ୍ତ । ଘଟଣାରେ ତଦନ୍ତ ଜାରି ରହିଥିଲା । ବାରମ୍ୱାର ପୁଲିସ ବଳଙ୍ଗାରୁ ଦିଲ୍ଲୀ ଯାଏଁ ଛାନଭିନ କରିଥିଲେ । ଦିଲ୍ଲୀ ଯାଇ ପୁଲିସର ବୟାନ ମଧ୍ୟ ରେକର୍ଡ କରାଯାଇଥିଲା । ହେଲେ ଏଯାଏଁ ଅଭିଯୁକ୍ତଙ୍କ ଟେର୍ ପାଉନି ପୁଲିସ । ପୀଡ଼ିତା ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ରହିଥିଲେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାବେଳେ ୩ଥର ଅସ୍ତ୍ରୋପଚାର ହୋଇଥିଲା ।ସୂଚନାମୁତାବକ, ଜୁଲାଇ ୧୯ ତାରିଖ ଦିନ ପୀଡ଼ିତା ସକାଳୁ ସାଙ୍ଗ ଘରକୁ ଯାଉଥିଲେ ।  ବାଟରେ ନାବାଳିକାକୁ ଉଠାଇନେଇଥିଲେ ୩ ଦୁର୍ବୃତ୍ତ । ମୁହଁରେ କପଡ଼ା ବାନ୍ଧି ଭାର୍ଗବୀ ନଦୀ ପଠାକୁ ନେଇଯାଇଥିଲେ । ପେଟ୍ରୋଲ ଢାଳି ନିଆଁ ଲଗାଇ ଜାଳିଦେଇଥିଲେ । ଅଘଟଣ ବେଳେ ପହଞ୍ଚିଥିଲେ କିଛି ସ୍ଥାନୀୟ ଲୋକ । ଲୋକଙ୍କୁ ଦେଖି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ନିଆଁ ଲିଭାଇବା ସହ ନାବାଳିକାକୁ କରିଥିଲେ ଉଦ୍ଧାର । ମତେ ବଞ୍ଚାନ୍ତୁ ବୋଲି ଗୁହାରି କରିଥିଲେ ନାବାଳିକା । ନାବାଳିକାର ପୋଷାକ, ଚପଲ ପୋଡ଼ି ଯାଇଥିଲା । ତୁରନ୍ତ ନାବାଳିକା ଘରେ ଖବର ଦିଆଯାଇଥିଲା। ପିପିଲି ମେଡିକାଲରେ ଦିଆଯାଇଥିଲା ପ୍ରାଥମିକ ଚିକିତ୍ସା । ପରେ ପୀଡ଼ିତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା ।