ବ୍ୟାକ ଟୁ ବ୍ୟାକ ଲଘୁଚାପ, ୨୨ଯାଏଁ ପ୍ରବଳ ବର୍ଷିବ !

ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଆଗାମୀ 22ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ହେବ ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ମଧ୍ୟ ଜାରି କରାଯାଇଛି। ତେବେ ଏହାରି ଭିତରେ ଆଉ ଏକ ଖବର ସାମ୍ନାକୁ ଆସୁଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବାକୁ ଯାଉଛି ଘୁର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ ବଢିବ ବର୍ଷାର ପରିମାଣ ।

ଅଧିକାଂଶ ଜିଲ୍ଲାରେ ୨ଶହ ମିଲିମିଟରରୁ ଅଧିକ ବର୍ଷାହେବା ସମ୍ଭାବନା ରହିଛି । ଗତକାଲିର ଘୂର୍ଣ୍ଣିବଳୟ ଆଜି ମଧ୍ୟ ପଶ୍ଚିମ ଝଡ଼ଖଣ୍ଡ ଏବଂ ତାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳରେ ୭.୬ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି । ଏହାର ପ୍ରଭାବରେ ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ସବୁ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।

ଆସନ୍ତାକାଲିଠୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି ହୋଇଛି ।