ହକି ପାଇଁ କଲେଜରେ ଗୋଟେ ଦିନ

କଲେଜରେ ହକି ସଫଳତାର କାହାଣୀ ଶୁଣିବେ ପିଲା

ଏବେ ରାଜ୍ୟର ସ୍କୁଲ ପରେ କଲେଜରେ ହକି ସଫଳତାର କାହାଣୀ ଶୁଣିବେ ପିଲା । ଯେଉଁଥିପାଇଁ ସପ୍ତାହର ସୋମବାରକୁ ଧାର୍ଯ୍ୟ କରାଯାଇଛି । ହକି କିପରି ଜିରୋରୁ ହିରୋ ସାଜିଛି ତଥା ହକି ପାଇଁ ଓଡ଼ିଶାର ଭୂମିକା କଣ ତାକୁ ଏବେ ଜାଣିବେ ପିଲା । ଏନେଇ ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲା ଉଚ୍ଚ ଶିକ୍ଷା ବିଭାଗ । ଭାରତୀୟ ଜାତୀୟ ଖେଳ ହକିର ପୁନରୁଦ୍ଧାର, ହକିକୁ ଓଡ଼ିଶାର ପ୍ରୋତ୍ସାହନ ସମ୍ପର୍କରେ ପିଲାଙ୍କୁ ଅବଗତ କରାଯିବ । ଓଡ଼ିଶା ଜାତୀୟ ହକି ଦଳର ପ୍ରାୟୋଜକ ହେବା ପରେ କିଭଳି ଦଳର ପ୍ରଦର୍ଶନରେ ଉନ୍ନତି ଆସିଛି ସେ ନେଇ କଲେଜ ପିଲାଙ୍କୁ କୁହାଯିବ । ଦୁଇପୃଷ୍ଠା ସମ୍ବଳିତ ଏକ ସଫଳ ବାର୍ତ୍ତା ପାଠ କରାଯିବ ।

ଏହାସହ କ୍ୟାମ୍ପସରେ ହକି ସଫଳତା ସମ୍ବଳିତ ବ୍ୟାନର ମାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେତିକି ନୁହେଁ, ପିଲାଙ୍କୁ ଏହି ଅବସରରେ ଚକୋଲେଟ୍ କିମ୍ବା ମିଠା ବଣ୍ଟନ କରାଯିବ । ଛାତ୍ରଛାତ୍ରୀଙ୍କ ଭିତରେ ହକି ପାଇଁ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ । ୨୦୧୮ ମସିହାରୁ ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ରହିଛି । ସୁନ୍ଦରଗଡ଼ ଦେଶର ହକି ଏନ୍ତୁଡିଶାଳ । ଏଠାରେ ବିଶ୍ବର ସର୍ବବୃହତ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶାର ପ୍ରତ୍ଯେକ ଖେଳାଳିଙ୍କ ପାଇଁ ଭାରତୀୟ ହକି ଦଳ ଆଜି କେଉଁଠି ପହଞ୍ଚିଛି ତାକୁ ପିଲା ଜାଣିବା ସହ ହକି ପ୍ରତି ସେମାନଙ୍କ ଭଲ ପାଇବା ସୃଷ୍ଟି କରିବା ଏହାର ଲକ୍ଷ ।