ଓଡ଼ିଶାକୁ ମିଳିଲା ଆୟୁଷ୍ମାନ୍ ଭାରତ

ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ

ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ରାଜ୍ୟର ସାଢ଼େ ୩ କୋଟି ଲୋକ ଏହି ଯୋଜନାରେ ଉପକୃତ ହେବେ । ୭୦ ବର୍ଷରୁ ଅଧିକ ବୟୋଜ୍ୟେଷ୍ଠ ବ୍ୟକ୍ତି ବୟୋ ବନ୍ଦନା ଯୋଜନାରେ ଏଥିରେ ସାମିଲ ହେବେ । ଦେଶର ବିଭିନ୍ନ ସ୍ଥାନରେ ୨୯ ହଜାର ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଏହି ସୁବିଧା ମିଳିବ । ହସ୍ପିଟାଲରେ ଭର୍ତ୍ତି ହେବାର ୩ ଦିନ ପୂର୍ବରୁ ଓ ଡିସଚାର୍ଜର ୧୫ ଦିନ ପର୍ଯ୍ୟନ୍ତ ଔଷଧ ଯୋଗାଇ ଦିଆଯିବା ପାଇଁ ଏହି ଯୋଜନାରେ ବ୍ୟବସ୍ଥା ରହିଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡା କହିଛନ୍ତି, ଏହା ହେଉଛି ବିଶ୍ବର ସବୁଠୁ ବଡ଼ ସ୍ବାସ୍ଥ୍ୟ ଯୋଜନା । ଦେଶର ୬୧ କୋଟି ଲୋକ ଏହାଦ୍ବାରା ଉପକୃତ ହୋଇଛନ୍ତି । ଏହା ଇନ୍‌ସୁରାନ୍ସ ନୁହେଁ, ଆସ୍ୟୁରାନ୍ସ ଯୋଜନା ବୋଲି ସେ କହିଛନ୍ତି । ଏହି ଯୋଜନା ଲାଗୁ କରିବାକୁ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ, କିନ୍ତୁ ସେ ଲାଗୁ କରିନଥିଲେ । ତେଣୁ ଲୋକ ତାଙ୍କୁ ଘରେ ବସାଇଦେଲେ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ‘ଆୟୁଷ୍ମାନ ଭାରତ’ ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ଅଭିଭାଷଣରେ ଓଡ଼ିଶା ପାଇଁ ଆଜି ଏକ ଐତିହାସିକ ଦିନ ବୋଲି କହିଛନ୍ତି । ସେ କହିଛନ୍ତି, ଓଡ଼ିଶାର ବିକାଶ ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ିହେଲା । ରାଜନୈତିକ ଉଦ୍ଦେଶ୍ୟ ରଖି ପୂର୍ବ ସରକାର ଏହାକୁ ଲାଗୁ କରି ନଥିଲେ । ନୂଆ ସରକାର ଆସିବା ପରେ ଆୟୁଷ୍ମାନ ଲାଗୁ କରାଗଲା । ଓଡ଼ିଶା ବାହାରେ ରହୁଥିବା ହିତାଧିକାରୀ ବି ଉପକୃତ ହେବେ । ଡବଲ ଇଞ୍ଜିନ ସରକାର ଆସିବା ପରେ ବିକାଶର ଗତି ଦୁଇ ଗୁଣ ହୋଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୋଟିଏ ପରିବାର ଲୋକ ଦେଶର ବିଭିନ୍ନ ସ୍ଥାନରେ ରହିଲେ ବି ପରିବାରର ସମସ୍ତ ସଦସ୍ୟ ଏହାର ସୁବିଧା ପାଇପାରିବେ । ଏଥିରେ ସମସ୍ତଙ୍କୁ ଏକକ କାର୍ଡ ପ୍ରଦାନ କରାଯିବ । ତେଣୁ ଯିଏ ଯେଉଁଠି ରହିଲେ ବି ଏହି ଯୋଜନାର ସୁଫଳ ପାଇପାରିବେ । ଓଡ଼ିଶାରେ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶ ପାଇଁ ବହୁତ କାମ ହାତକୁ ନେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।