ଜଣେ ଆଟେଣ୍ଡାଣ୍ଟକୁ ସସପେଣ୍ଡ କଲା ବିଭାଗ
ଭୁବନେଶ୍ୱର ୟୁନିଟ-6 ସ୍ଥିତ କ୍ୟାପିଟାଲ ହସ୍ପିଟାଲ୍ରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣା । ଏହି ଘଟଣାରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡର ଆଟେଣ୍ଡାଣ୍ଟଙ୍କୁ ସସ୍ପେଣ୍ଡ କରିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ । ଦାୟିତ୍ୱରେ ଅବହେଳା ପାଇଁ ସସ୍ପେଣ୍ଡ କରାଯାଇଥିବା ସୂଚନା ରହିଛି । ଶିଶୁ ଅଦଳବଦଳ ଘଟଣାରେ ଆରମ୍ଭ ହୋଇଥିବା ତଦନ୍ତ ଜାରି ରହିବ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି । ସେ ଆହୁରି କହିଛନ୍ତି, ନବଜାତର ବାପାଙ୍କୁ ଖବର ଦେଇଥିବା ଆଟେଣ୍ଡାଣ୍ଟଙ୍କୁ କାର୍ଯ୍ୟାନ୍ତର ହୋଇଛି । ଗଠିତ କମିଟିର ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଭୁଲ ବୁଝାମଣା ଯୋଗୁ ଏପରି ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ଶିଶୁ ଜନ୍ମ ହେବା ପରେ ରଖାଯାଇଥିବା ସମସ୍ତ ପ୍ରମାଣ ଝିଅ ଦର୍ଶାଉଛି । ଶିଶୁ ଜନ୍ମ ହେବା କ୍ଷଣି ଶିଶୁର ମାଆକୁ ସୂଚନା ଦିଆଯାଇଥିଲା। ଶିଶୁର ପିତା ଝିଅ ଗ୍ରହଣ କରିବାକୁ ରାଜି ନ ଥିବାରୁ ପୁଲିସ ପଦକ୍ଷେପ ନେବ।, ଆରମ୍ଭ ହୋଇଥିବା ତଦନ୍ତ ଜାରି ରହିବ । ରାଜକନିକା ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ୱାଳ ତାଙ୍କ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ କରିଥିଲେ । ତାଙ୍କୁ ପ୍ରଥମେ ପୁଅ ହୋଇଥିବା ନର୍ସ କହିଥିଲେ । ପରେ ଶିଶୁକନ୍ୟାକୁ ଆଣି ଦେଇଥିଲେ । ମୋର ପୁଅ ହୋଇଥିଲା, ଝିଅ କ’ଣ ଦେଲେ ବୋଲି ନର୍ସଙ୍କୁ ପ୍ରାଣକୃଷ୍ଣ ପ୍ରଶ୍ନ କରିଥିଲେ । ହେଲେ ସେ କିଛି ନ କହି ପଳାଇ ଯାଇଥିଲେ । କିଛି ସମୟ ପରେ ତୁମର ଝିଅ ହୋଇଛି ବୋଲି ଡାକ୍ତର କହିଥିଲେ । ନର୍ସ ଭୁଲରେ ପୁଅ ହୋଇଛି ବୋଲି କହିଥିଲେ । ପ୍ରାଣକୃଷ୍ଣ ଏନେଇ କ୍ୟାପିଟାଲ ନିର୍ଦ୍ଦେଶକ ଓ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ଛୁଆର ଡିଏନଏ ଟେଷ୍ଟ କରିବାକୁ ଦାବି କରିଥିଲେ।