ବ୍ରହ୍ମପୁରରେ ନିର୍ବାଚନୀ ହିଂସା

ପ୍ରଦୀପଙ୍କ ଛାତିରେ ଫ୍ରାକଚର, ଶିବଶଙ୍କର ଗିରଫ

ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣା। ଗିରଫ ହେଲେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ। ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଶିବଶଙ୍କରଙ୍କୁ ଗିରଫ କରିଛି ପୋଲିସ। କୋର୍ଟରେ ଜାମିନ ନାମଞ୍ଜୁର ହେବାପରେ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। କାଲି ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ ଶିବଶଙ୍କର ଓରଫ ପିଣ୍ଟୁ। ଆକ୍ରମଣ ପରେ ପିଣ୍ଟୁଙ୍କୁ ଥାନାରେ ଅଟକ ରଖିଥିଲା ପୋଲିସ । ତେବେ ଆହତ ପ୍ରଦୀପଙ୍କୁ ଆଜି ବ୍ରହ୍ମପୁରରୁ ଭୁବନେଶ୍ୱର ଏମସ୍‌ ସ୍ଥାନାନ୍ତର କରାଯାଇଛି। ପ୍ରଦୀପଙ୍କ ପଞ୍ଜରା ହାଡରେ ଆଘାତ ଲାଗିଥିବା ସୂଚନା ମିଳିଛି। ଅଧିକ ଚିକିତ୍ସା ପାଇଁ ଏମସରେ ଭର୍ତ୍ତି କରାଯାଇଛି। ପ୍ରଦୀପ ପାଣିଗ୍ରାହୀଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ପତ୍ନୀ କହିଛନ୍ତି, ଚେଷ୍ଟରେ ଫ୍ରାକ୍‌ଚର ହୋଇଛି, ବେକରେ ମାଡ଼ ହୋଇଛି। ତାଙ୍କ ପକ୍ଷରେ କଥା କହିବା କଷ୍ଟକର ହୋଇପଡିଛି। ଗତକାଲି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଭୋଟିଂ ବେଳେ କିଛି କିଛି ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ହାତାହାତି ହେବା ସହ ତୁମୁଳକାଣ୍ଡ ଘଟିଥିଲା। ଉତ୍କଳମଣି ୟୁପି ସ୍କୁଲ ବୁଥ ଆଗରେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ସ୍ୱାଧୀନ ବିଧାନସଭା ପ୍ରାର୍ଥୀ ଶିବଶଙ୍କର ଦାସ ହାତାହାତି ହୋଇଥିଲେ।