ଓଡ଼ିଶା ବିଧାନସଭାରେ ରାଜ୍ୟପାଳ ରଘୁବର ଦାସଙ୍କ ପ୍ରଥମ ଅଭିଭାଷଣ

୨୦୨୪ ଡିସେମ୍ବର ସୁଦ୍ଧା ବସ୍ତିମୁକ୍ତ ହେବ ରାଜ୍ୟ: ରାଜ୍ୟପାଳ

ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ । ସାଧାରଣ ନିର୍ବାଚନ ପୂର୍ବରୁ ଷୋଡ଼ଶ ବିଧାନସଭାର ଏହା ଶେଷ ଅଧିବେଶନ । ଯିଏ ଜିତିବେ ସେ ପୁଣି ଆସିବେ ବିଧାନସଭା । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ଅଧିବେଶନ । ଓଡ଼ିଶା ବିଧାନସଭାରେ ଏହା ହେଉଛି ରଘୁବରଙ୍କ ପ୍ରଥମ ଅଭିଭାଷଣ । ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଉପରେ ସୂଚନା ଦେଇଛନ୍ତି । ୨୦୨୨-୨୩ରେ ୬.୦୩ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ ହୋଇଛି । ୪୩.୮୮ଲକ୍ଷ କ୍ଷୁଦ୍ର ଓ ୧୮.୯୩ଲକ୍ଷ ଭୂମିହୀନ ଚାଷୀଙ୍କୁ କାଳିଆ ସହାୟତା ମିଳିଛି । ବଲାଙ୍ଗିର ଲୋୟର ସୁକତେଲ ପ୍ରକଳ୍ପ ଆରମ୍ଭ ହୋଇଛି । ଏଥିସହ ଅନେକ ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ଯୋଜନା ଆରମ୍ଭ ହୋଇଥିବା କହିଛନ୍ତି ରାଜ୍ୟପାଳ । ୭୫୦ କୋଟି ବ୍ୟୟରେ ଆମ ହସ୍ପିଟାଲ ଯୋଜନା ଆରମ୍ଭ ହୋଇଛି । ପ୍ରତି ପରିବାରକୁ ୫ଲକ୍ଷ, ମହିଳା ସଦସ୍ୟଙ୍କୁ ଆଉ ୫ଲକ୍ଷର ଚିକିତ୍ସା ସହାୟତା ମିଳୁଛି । ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ୩.୫କୋଟି ଲୋକଙ୍କ ପାଖରେ ପହଂଚିଛି । ଅଭିଭାଷଣରେ ରାଜ୍ୟପାଳ କହିଛନ୍ତି, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପରିବାରକୁ ଚାଉଳ ଦେଉଛି ରାଜ୍ୟ । ନ୍ୟୁୟର୍କ, ଟୋକିଓ, ସିଙ୍ଗାପୁର ଭଳି ଓଡ଼ିଶାରେ ଡ୍ରିଙ୍କ ଫ୍ରମ ଟ୍ୟାମ ଚାଲିଛି । ଡ୍ରିଙ୍କ ଫ୍ରମ ଟ୍ୟାପରେ ପୁରୀ ଦେଶର ପ୍ରଥମ ସହର, ଗୋପାଳପୁର ଦେଶର ଦ୍ୱିତୀୟ ସହର ହୋଇଛି । ୨୪ ସହରାଞ୍ଚଳର ୨୩ଲକ୍ଷ ବାସିନ୍ଦା ଡ୍ରିଙ୍କ ଫ୍ରମ ଟ୍ୟାପ ସୁବିଧା ପାଇଛନ୍ତି । ବିଧାନସଭାରେ ଅଭିଭାଷଣ ରଖିବା ବେଳେ ରଘୁବର ଦାସ କହିଛନ୍ତି ଡିସେମ୍ବର ସୁଦ୍ଧା ବସ୍ତିମୁକ୍ତ ହେବ ସହରାଂଚଳ । ମଧ୍ୟବିତ୍ତ ପରିବାରର ଗୃହ ନିର୍ମାଣ ସ୍ୱପ୍ନ ସାକାର ପାଇଁ ‘ମୋ ଘର’ ଯୋଜନା ଆରମ୍ଭ ହୋଇଛି । ଆମ ଓଡ଼ିଶା ନବୀନ ଓଡ଼ିଶାରେ ପ୍ରତି ପଂଚାୟତକୁ ୫୦ଲକ୍ଷ ଦିଆଯାଉଛି । ରାଜ୍ୟର ୧୦ଟି ସହର ବସ୍ତିମୁକ୍ତ ହୋଇଥିବା ବେଳେ ୨୦୨୪ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ସହରାଂଚଳ ବସ୍ତିମୁକ୍ତ ହେବ । ୨୦୨୭ ଶେଷ ସୁଦ୍ଧା ରାଜ୍ୟରେ ହେବ ମେଟ୍ରୋ ରେଳ । ୬୨୫୬କୋଟି ଟଙ୍କା ବ୍ୟୟରେ ହେବ ମେଟ୍ରୋ ରେଳ ପ୍ରକଳ୍ପ । ୩୦ଜିଲ୍ଲାର ୬୭୯୮ ପଂଚାୟତରେ ଗଡ଼ିବ ଲକ୍ଷ୍ମୀ ବସ୍ । ରାଜ୍ୟରେ ମାଓହିଂସା କମିଥିବା ମଧ୍ୟ କହିଛନ୍ତି ରଘୁବର । ନକ୍ସଲ ପ୍ରଭାବିତ ଜିଲ୍ଲାସଂଖ୍ୟା ୨୧ରୁ ୧୦କୁ ହ୍ରାସ ପାଇଛି । ୬୩ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଅନେକ ମାଓବାଦୀଙ୍କୁ ନିପାତ କରାଯାଇଥିବା ବେଳେ ‘ଘର ୱାପସୀ’ ମାଧ୍ୟମରେ ମୁଖ୍ୟସ୍ରୋତକୁ ଫେରିଛନ୍ତି ୩୨୦୦ରୁ ଅଧିକ ମାଓବାଦୀ । ରାଜ୍ୟରେ ମୁଣ୍ଡପିଛା ଆୟ ମଧ୍ୟ ବଢିଛି । ରାଜ୍ୟରେ ବେକାରୀ ଅଭିବୃଦ୍ଧି ହାର କମିଛି । ୫ବର୍ଷରେ ୪୬,୯୮୬ ସରକାରୀ ଚାକିରି ମିଳିଛି । ୨୦୧୪-୧୫ରୁ ଏଯାଏଁ ୩୪.୨୫ ଲକ୍ଷ ପକ୍କା ଘର ନିର୍ମାଣ ହୋଇଛି । ସମୟ ପୂର୍ବରୁ ଘର ସରିଥିବାରୁ ୧୩୮୭ କୋଟିର ପ୍ରୋତ୍ସାହନ ରାଶି ଦିଆଯାଇଛି । ମଧ୍ୟବିତ ପରିବାରର ଗୃହ ନିର୍ମାଣ ସ୍ୱପ୍ନ ସାକାର ପାଇଁ ‘ମୋ ଘର’ ଆରମ୍ଭ ହୋଇଥିବା ରାଜ୍ୟପାଳ ଆଜି ବିଧାନସଭାରେ କହିଛନ୍ତି ।