ରତ୍ନଭଣ୍ଡାରର ବୈଷୟିକ ଯାଞ୍ଚ କରିବ ଏଏସ୍ଆଇ

ଆଜି ରତ୍ନଭଣ୍ଡାରର ବୈଷୟିକ ଯାଞ୍ଚ

ପୁଣି ଖୋଲିବ ରତ୍ନଭଣ୍ଡାର। ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ବୈଷୟିକ ଯାଞ୍ଚ ପ୍ରକ୍ରିୟା ଚାଲିବ। ତେଣୁ ମଧ୍ୟାହ୍ନ ଗୋଟାଏରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଭକ୍ତମାନେ ସିଂହଦ୍ବାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କିଣି ଉତ୍ତରଦ୍ବାର ପାର୍ଶ୍ବରେ ପ୍ରସ୍ଥାନ କରିପାରିବେ।ଏଏସ୍ଆଇର ଅତିରିକ୍ତ ମହାନିର୍ଦ୍ଦେଶକ (ସଂରକ୍ଷଣ)ଙ୍କ ନେତୃ୍ତ୍ବରେ ସିଏସ୍ଆଇଆର-ଏନ୍ଜିଆର୍ଆଇ (ନ୍ୟାସନାଲ୍ ଜିଓ ଫିଜିକାଲ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍) ପ୍ରାଥମିକ ନିରୀକ୍ଷଣ ସହ ବୈଷୟିକ ସର୍ବେକ୍ଷଣ କାର୍ଯ୍ୟ କରିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଶାସନିକ ଅଧିକାରୀ ଓ ସେବାୟତଙ୍କ ସହ ଏ ସଂପର୍କରେ ଆଲୋଚନା ହୋଇସାରିଛି। ବୈଷୟିକ ଯାଞ୍ଚ ପରେ ରତ୍ନଭଣ୍ଡାରରେ ଗୁପ୍ତ କୋଠରି, ଗୁପ୍ତ ସୁଡ଼ଙ୍ଗ ଆଦି ଚର୍ଚ୍ଚା ଉପରୁ ଖୁବଶୀଘ୍ର ପରଦା ହଟିବ ବୋଲି କୁହାଯାଉଛି।