ଆଇନଶୃଙ୍ଖଳାକୁ ନେଇ ଅରୁଣ-ପୃଥ୍ୱୀରାଜ ମୁହାଁମୁହିଁ
ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନେଇ ବିଜେପି ସରକାରକୁ ନୟାଗଡ଼ ବିଧାୟକ ଅରୁଣ ସାହୁ ଟାର୍ଗେଟ କରିଥିବା ବେଳେ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହାର ଜବାବ ଦେଇଛନ୍ତି। ବିଜେଡିର ଅଭିଯୋଗ ଉପରେ କଡ଼ା କାଉଣ୍ଟର ରଖି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଅତୀତରେ ବି ଅପରାଧ ହେଉଥିଲା। କିନ୍ତୁ ବିଜେଡି ହାତରୁ କ୍ଷମତା ଚାଲିଗଲା ପରେ ମଧ୍ୟ ଶାସନ କରିବାର ନିଶା ଛାଡ଼ିନାହିଁ। ପୂର୍ବ ସରକାରର ନେତାମାନେ ଆଇନ ତା ବାଟରେ ଯିବ ବୋଲି କହୁଥିଲେ। ସେତେବେଳେ ସେମାନଙ୍କର ଭୂମିକା କ’ଣ ଥିଲା ବୋଲି ଆଇନ୍ମନ୍ତ୍ରୀ ଓଲଟା ପ୍ରଶ୍ନ କରିଛନ୍ତି?
ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବିଗତ ୧୦ ମାସରେ ଯେତିକି ଅପରାଧ ହୋଇଛି ସେଗୁଡ଼ିକ ୭୨ ଘଣ୍ଟା ମଧ୍ୟରେ ହିଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଭିଯୁକ୍ତଙ୍କୁ ଗିରଫ, କୋର୍ଟ ଚାଲାଣ ସହ ଆବଶ୍ୟକ ପଡ଼ିଲେ ଏନ୍କାଉଣ୍ଟର ମଧ୍ୟ କରାଯାଇଛି। କୌଣସି ଅପରାଧୀଙ୍କୁ ୧ ପ୍ରତିଶତ ବି ସୁରକ୍ଷା ଦିଆଯାଉ ନାହିଁ। ତେଣୁ ବିରୋଧୀ ଅଧିକ ଚିନ୍ତିତ ହୁଅନ୍ତୁ ନାହିଁ। କୌଣସି ଅପରାଧୀଙ୍କୁ ୧ ପ୍ରତିଶତ ବି ସରକାର ରାଜନୈତିକ ସୁରକ୍ଷା ଦେଉନାହାନ୍ତି। ପୁଲିସକୁ ତଦନ୍ତ ପାଇଁ ସଂପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଛି। ଦଣ୍ଡ ବିଧାନ ହାରରେ ପରିବର୍ତ୍ତନ ଆସିଛି। ଆସାମୀକୁ ଧରି ଯଥାଶୀଘ୍ର ଦଣ୍ଡ ବିଧାନ ମଧ୍ୟ କରାଯାଉଛି।
ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କ ଉପରେ ବର୍ଷିଥିଲେ। ସାରା ରାଜ୍ୟରେ ମର୍ଡର ମର୍ଡର ମର୍ଡର ବୋଲି କହିଥିଲେ। ଗଣ୍ଡି ଗୋଟେ ଜାଗାରେ ମୁଣ୍ଡ ଆଉ ଗୋଟେ ଜାଗାରେ ବୋଲି ଟିପ୍ପଣୀ ଦେଇଥିଲେ। କେଉଁଠି ଜେସିବି ଲଗାଇ ମାରି ଦିଆଯାଉଛି ତ ଆଉ କେଉଁଠି ଗୁଳି କରି ଲୋକଙ୍କୁ ମାରି ଦିଆଯାଉଛି ବୋଲି କହିଥିଲେ। ମିଡିଆରେ କେବଳ ମର୍ଡର ଖବର ଘୂରି ବୁଲୁଛି। ଏ କଣ ଡବଲ ଇଂଜିନ ସରକାର ବୋଲି ଅରୁଣ ପ୍ରଶ୍ନ କରିଥିଲେ। ବିଜେଡି ବିଧାୟକ ଶ୍ରୀ ସାହୁ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଅପରାଧୀ ଜାଣିଗଲେଣି ଯେ, ଏ ସରକାର ଦୁର୍ବଳ। ତେଣୁ ଦାନ୍ତହୀନ ଦୁର୍ବଳ ସରକାରକୁ କେହି ଖାତିର କରୁନାହାଁନ୍ତି।
