ବାନ୍ଧବୀ ଜାଗୃତି ଶୁକ୍ଳାଙ୍କୁ ବିବାହ କଲେ ଅନୁଭବ ମହାନ୍ତି

ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଜାଗୃତିଙ୍କ ହାତ ଧରିଲେ ଅନୁଭବ

ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ବନ୍ଧୁରୁ ପାଲଟିଲେ ଜୀବନସାଥୀ । ବିବାହ ବନ୍ଧନରେ ଆବଦ୍ଧ ହେଲେ ଓଲିଉଡ ଷ୍ଟାର ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳା । ଦୀର୍ଘଦିନର ବାନ୍ଧବୀ ଜାଗୃତି ଶୁକ୍ଲାଙ୍କୁ ନୂଆଦିଲ୍ଲୀର ହଜଖାସ ଜଗନ୍ନାଥ ମନ୍ଦିରରେ ବିବାହ କରିଛନ୍ତି ।  ଉଭୟ ପକ୍ଷଙ୍କ ପରିବାର ଓ କିଛି ଖାସ ବନ୍ଧୁଙ୍କ ଉପସ୍ଥିତିରେ ବିବାହ ସଂପନ୍ନ ହୋଇଛି । ଖୋଲା ଭିଣ୍ଟେଜ କାରରେ ବରବେଶରେ ଯାଇଥିଲେ ଅନୁଭବ ।

ବିବାହ ପରେ ପରେ ବରକନ୍ୟା ରିସେପ୍‌ସନ୍ କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥିଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ଓଡ଼ିଆ କଣ୍ଠଶିଳ୍ପୀମାନେ ସଂଗୀତ ପରିବେଷଣ କରିଥିବା ବେଳେ ସଂସ୍କୃତି ନଗରୀ କଟକ ସହରରୁ ପୂଜାରୀମାନେ ଖାସ୍ ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତି କରିଥିଲେ । ରିସେପ୍‌ସନ୍ ଭୋଜିରେ ୭୬ ପ୍ରକାରର ସୁସ୍ବାଦୁ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ ହୋଇଥିଲା  ।

ଏଥିରେ ସ୍ବତନ୍ତ୍ର ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି ନବଦମ୍ପତିକୁ ଶୁଭେଚ୍ଛା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ଅଜୟ ପାଢ଼ୀ, ହିମାଦ୍ରୀ ତନୟା ଦାସ, ଜିତୁ ମଙ୍ଗରାଜ ପ୍ରମୁଖ ଯୋଗଦେଇ ନବବିବାହିତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ତେବେ ବିବାହ ନେଇ ଅନୁଭବ ନିଜପକ୍ଷରୁ ସୋସିଆଲ ମିଡିଆରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ଅନ୍ୟପଟେ ୭ ମାର୍ଚ୍ଚରେ ଅନୁଭବ ଏବଂ ଜାଗୃତିଙ୍କ ନିର୍ବନ୍ଧ ହୋଇଥିଲା  ।

ଦୁହିଁଙ୍କର ନିର୍ବନ୍ଧ ଏକ ହୋଟେଲରେ ଗ୍ରାଣ୍ଡ ସେଲିବ୍ରେଶନ ହୋଇଥିଲା । ଯାହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର ହୋଇଥିଲା ।  ଜାଗୃତି ନିଜ ଇନଷ୍ଟା ଏବଂ ଫେସବୁକ ଆଇଡିରେ ଅନୁଭବଙ୍କ ସହ ହୋଇଥିବା ନିର୍ବନ୍ଧ ବେଳର ଫଟୋ ସେୟାର କରିଥିଲେ । ଏଥିସହ ସେ ନିଜ ଭାବି ସ୍ୱାମୀଙ୍କୁ ନେଇ କ୍ୟାପ୍ସନରେ ଅନେକ କଥା ଲେଖିଥିଲେ ।