କିଟରେ ପୁଣି ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

କିଟ୍‌ ବିଶ୍ବବିଦ୍ୟାଳୟରେ ପୁଣି ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

କିଟ୍‌ ବିଶ୍ବବିଦ୍ୟାଳୟରେ ପୁଣି ଏକ ବଡ଼ଧରଣର ଅଘଟଣ ଘଟିଛି। ପୁଣି ଜଣେ ବିଦେଶୀ ଛାତ୍ରୀ ଜୀବନ ହାରିଥିବା ନେଇ ଗୁରୁବାର ସନ୍ଧ୍ୟାରେ ସୂଚନା ମିଳିଛି। ମୃତ ଛାତ୍ରୀ ପ୍ରୀଶା ଶାହ ନେପାଳର ବୀରଗୁଂଜର ବାସିନ୍ଦା। ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। କିଟ୍‌ ଛାତ୍ରୀନିବାସ ଭିତରେ ନେପାଳୀ ଛାତ୍ରୀ ଜୀବନ ହରାଇଥିବା ନେଇ ପୁଲିସ କମିସନର ସୁରେଶ ଦେବଦତ୍ତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।  ପ୍ରାଥମିକ ସୂଚନା ଅନୁଯାୟୀ ନେପାଳର ଛାତ୍ରୀ ପ୍ରୀଶା ଶାହ କିଟ୍‌ରେ ଇଂଜିନିୟରିଂ ପଢୁଥିଲେ। ସେ କମ୍ପ୍ୟୁଟର ସାଇନ୍ସ ବିଷୟରେ ପ୍ରଥମ ବର୍ଷର ଛାତ୍ର ଥିଲେ ଏବଂ ଛାତ୍ରାବାସରେ ରହୁଥିଲେ ବୋଲି କୁହାଯାଉଛି। କ୍ୟାମ୍ପସ୍‌ରେ ଛାତ୍ରୀ ଜଣକ ଜୀବନ ହାରିଛନ୍ତି। କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ଏଯାଏଁ ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। ତେବେ ରିପୋର୍ଟ ଲେଖାଯିବା ସୁଦ୍ଧା ଏନେଇ କିଟ୍‌ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ। ଘଟଣାସ୍ଥଳରେ ଇନ୍‌ଫୋସିଟି ଥାନା ପୁଲିସ ତଦନ୍ତ ଜାରି ରଖିଛି। ପୁଲିସ କମିସନର, ଡିସିପି ଓ ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଅଛନ୍ତି। କିଟ୍ ରେ ପୁଲିସ ଛାଉଣୀ କରାଯାଇଛି।