ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ, ଦୃଢ଼ ପଦକ୍ଷେପ ନିଆଯିବ
ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ । ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରତିକ୍ରିୟା କରିଛନ୍ତି। ଇସ୍କନ ସଂସ୍ଥା ଦ୍ବାରା ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ସେ କହିଛନ୍ତି ଭାରତ ଭିତରେ ରଥଯାତ୍ରା ତିଥି ଅନୁସାରେ କରିବା ପାଇଁ ଇସ୍କନ ସୂଚନା ଦେଇଛି । ଭାରତ ବାହାରେ ଅଦିନିଆ ରଥଯାତ୍ରା କରୁଥିବା ସଂସ୍ଥା ବିରୋଧରେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇ ଦୃଢ଼ ପଦକ୍ଷେପ ନିଆଯିବ ।ଭାରତ ବାହାରେ ଅଦିନିଆ ରଥଯାତ୍ରା ଆୟୋଜନ ନକରିବା ପାଇଁ ଗଜପତି ମହାରାଜା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖି ଅବଗତ କରାଇଛନ୍ତି । ସେପଟେ ଗତକାଲି ଗଜପତି ମହାରାଜା ମଧ୍ୟ ଭାରତ ବାହାରେ ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ଧର୍ମାଚାର୍ଯ୍ୟମାନେ ଓ ଭକ୍ତମାନେ ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ ବୋଲି ଗଜପତି କହିଥିଲେ ।ଭାରତ ବାହାରେ କିଛି ଓଡିଆମାନେ ଅଦିନିଆ ରଥଯାତ୍ରାରେ ଅଂଶଗ୍ରହଣ କରିବା ସହ ଡୋନେସନ୍ ମଧ୍ୟ ଦେଉଛନ୍ତି ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ ଗତକାଲି କହିଥିଲେ । ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ନେଇ ବାରମ୍ବାର ଆଲୋଚନା କରାଯାଇଛି । ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।
