ହାଇକୋର୍ଟରେ ଅଙ୍ଗନୱାଡି କର୍ମୀଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ମାମଲା

ହାଇକୋର୍ଟରେ ଅଙ୍ଗନୱାଡି ମାମଲା

ଅଙ୍ଗନୱାଡି କର୍ମୀଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ନେଇ ହାଇକୋର୍ଟରେ ମାମଲା । ଏନେଇ ନୟାଗଡ଼ର ଜଣେ ଅଙ୍ଗନୱାଡି କର୍ମୀ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି । କେନ୍ଦ୍ରୀୟ ହାରରେ ଦରମା ସହ ଅନ୍ୟ ରାଜ୍ୟରେ ମିଳୁଥିବା ସୁବିଧା ଦାବି କରାଯାଇଛି । ମାମଲାରେ ମୁଖ୍ୟ ଶାସନ ସଚିବ, ମିଶନ ଶକ୍ତି ସଚିବ, ନୟାଗଡ଼ ଜିଲ୍ଲାପାଳଙ୍କ ସହ ସିଡିପିଓଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି । ବହୁ ପୂର୍ବରୁ ସରକାର ଅଙ୍ଗନୱାଡି କର୍ମୀମାନଙ୍କୁ ଅବହେଳା କରିଆସୁଥିବା ସେମାନେ ଅଭିଯୋଗ କରିଆସୁଛନ୍ତି । ଅନେକ ଥର ରାଜରାସ୍ତାରେ ଗର୍ଜନ କରିଛନ୍ତି ହଜାର ହଜାର ସଂଖ୍ୟକ ଅଙ୍ଗନୱାଡି କର୍ମୀ । ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍‌ରେ ଏକତ୍ରିତ ହେବା ସହ ରଣହୁଙ୍କାର ଦେଇଛନ୍ତି । ପେଟ ପାଇଁ ଅଙ୍ଗନୱାଡି କର୍ମୀମାନଙ୍କ ବାରମ୍ବାର ଗର୍ଜନକୁ ସରକାର ଅଣଦେଖା କରିବା ସହ ସେମାନଙ୍କୁ ପ୍ରତିଶ୍ରୁତି ଦେଇ ପାଳନ କରିନଥିବା ଅଭିଯୋଗ ହୋଇଛି । ଫଳରେ ପ୍ରତି ବର୍ଷ ବିଧାନସଭା ଅଧିବେଶନ ସମୟରେ ସେମାନେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରିଛନ୍ତି । ହେଲେ ସରକାର ସେମାନଙ୍କ କଥା ରଖିନଥିବାରୁ ଏହି ଘଟଣା ହାଇକୋର୍ଟରେ ପହଞ୍ଚିଛି ।