ପୁଣି ଓଡ଼ିଶାରେ ପଶିବାକୁ ଆନ୍ଧ୍ରର ଷଡଯନ୍ତ୍ର !

ସୀମାନ୍ତ ଜିଲ୍ଲାରେ ପଶି କେନାଲ ସଫା କଲା ଆନ୍ଧ୍ର !

ଓଡ଼ିଶାକୁ ଦଖଲ କରିବାକୁ ଆନ୍ଧ୍ର ଚଳାଇଛି ଗୋଟିଏ ପରେ ଗୋଟିଏ ଷଡଯନ୍ତ୍ର । କେତେବେଳେ ଅନୁପ୍ରବେଶ ତ ଆଉ କେବେ ସୀମାନ୍ତ ଜିଲ୍ଲାରେ ମନମାନି ଚଲାଉଛି ପଡୋଶୀ ରାଜ୍ୟ ଆନ୍ଧ୍ର ।ଏବେ ଆଉ ଏକ ଷଡଯନ୍ତ୍ର ସାମ୍ନାକୁ ଆସିଛି । ଆନ୍ଧ୍ର ଅଧିକାରୀ ଏବେ ଓଡ଼ିଶା କେନାଲ ସଫା କରିଛନ୍ତି । ଏଭଳି କିଛି ଦ୍ରୁଶ୍ଯ ଦେଖିବାକୁ ମିଳିଛି ଗଜପତି ଗୋଷାଣୀ ବ୍ଲକ ଜଙ୍ଗଲପାଢୁ ଗାଁରେ । ଏହି ଗାଁ ଦେଇ ଆନ୍ଧ୍ର ମୁହାଁ ହୋଇଥିବା କୃଷ୍ଣସାଗର କେନାଲ ସଫା କରିଛନ୍ତି ଆନ୍ଧ୍ର ଅଧିକାରୀ ଓ ଚାଷୀ । ଓଡିଶାର କ୍ଷୁଦ୍ର ଜଳ ସେଚନ ବିଭାଗ କେନାଲ ସଫା ହେବା ପରେ ଉପକୃତ ହେଉଛନ୍ତି ଉଭୟ ରାଜ୍ୟର ଚାଷୀ । ସେପଟେ ଗଜପତିରେ କେନାଲ ସଫା ପାଇଁ ପ୍ରତିବର୍ଷ ରାଜ୍ୟ ସରକାରଙ୍କ ଜଳ ସେଚନ ବିଭାଗ ପକ୍ଷରୁ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି ।

କୃଷ୍ଣସାଗର କେନାଲ ପାଇଁ ୧୧ ଲକ୍ଷ ଓ ମହେନ୍ଦ୍ର ତନୟା ଶାଖା କେନାଲ ପାଇଁ ୧୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ସରକାରୀ ସ୍ତରରେ କୁହାଯାଇଛି । କେନାଲ ସଫା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି, ହେଲେ କେନାଲ ଦେଇ ଚାଷ ଜମିରେ ପହଂଚି ପାରୁନାହିଁ ପାଣି । ଗୋଷାଣୀ ବ୍ଲକର ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେନାଲ ସମସ୍ୟା ନେଇ ବିଭାଗୀୟ କର୍ତୃପକ୍ଷଙ୍କୁ ଜଣାଇଲେ ବି କେହି ଶୁଣୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ଯାହାର ଫାଇଦା ଉଠାଇଛି ଆନ୍ଧ୍ର । ଗୋଟେପଟେ କୋରାପୁଟର କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ଦେଖିବାକୁ ମିଳିଥିବା ବେଳେ ଏବେ ଗଜପତି ଜିଲ୍ଲା ସୀମାନ୍ତରେ ଏ ଦ୍ରୁଶ୍ଯ ପୁଣି ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଦେଖିବାକୁ ବାକି ରହିଲା ଏ ଦିଗରେ ଓଡ଼ିଶା ସରକାର କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ।