‘କ୍ରିକେଟ୍ ଦେଖି ଟ୍ରେନ ଚଳାଉଥିଲେ ଲୋକୋ ପାଇଲଟ୍’
ଆନ୍ଧ୍ର ଟ୍ରେନ୍ ଦୁର୍ଘଟଣା, ଆସିଲା ସାଂଘାତିକ ସତ। କ୍ରିକେଟ ମ୍ୟାଚ୍ ପାଇଁ ଚାଲିଗଲା ଜୀବନ । ‘କ୍ରିକେଟ୍ ଦେଖି ଟ୍ରେନ ଚଳାଉଥିଲେ ଲୋକୋ ପାଇଲଟ୍’ । ୨୯ ଅକ୍ଟୋବର ୨୦୨୩ରେ ଆନ୍ଧ୍ରପ୍ରଦେଶରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା । ଏଥିରେ ୧୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା କେମିତି ହେଲା ଏତେ ବଡ଼ ଦୁର୍ଘଟଣା ? କଣ କରୁଥିଲେ ଲୋକୋ ପାଇଲଟ୍ ? ଦୁର୍ଘଟଣା ପଛର କାରଣ କଣ ହୋଇପାରେ ? ଏସବୁ ପ୍ରଶ୍ନ ଉପରୁ ପରଦା ହଟାଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଯେଉଁ ଦୁଇଟି ପାସେଞ୍ଜର ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ସେଥିମଧ୍ୟରୁ ଗୋଟିଏ ଟ୍ରେନର ଲୋକୋ ପାଇଲଟ ଓ ସହକାରୀ ଲୋକୋ ପାଇଲଟ ନିଜ ଫୋନରେ କ୍ରିକେଟ ମ୍ୟାଚ ଦେଖୁଥିଲେ । ଦୁହିଁଙ୍କର ଏଭଳି ଚରମ ଅବହେଳା ପାଇଁ ସେଦିନ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ଘଟିଥିଲା । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ”ନିକଟରେ ଆନ୍ଧ୍ରପ୍ରଦେଶରେ ଯେଉଁ ଟ୍ରେନ ଦୁର୍ଘଟଣା ଘଟିଥିଲା ଏହାର କାରଣ ହେଲା, ଦୁର୍ଘଟଣା ସମୟରେ ଲୋକୋ ପାଇଲଟ ଓ ସହକାରୀ ଲୋକୋ ପାଇଲଟ ନିଜ ମୋବାଇଲରେ କ୍ରିକେଟ ମ୍ୟାଚ ଦେଖିବାରେ ବ୍ୟସ୍ତ ଥିଲେ । ଏବେ ଆମେ ଏକ ନୂଆ ସିଷ୍ଟମ ଇନଷ୍ଟଲ କରୁଛୁ, ଯାହାକି ଟ୍ରେନ ଚାଲିବା ବେଳେ ଲୋକୋ ପାଇଲଟ୍ କିମ୍ବା ସହକାରୀ ଲୋକୋ ପାଇଲଟ୍ ଅନ୍ୟମନସ୍କ ହେଲେ ସଙ୍ଗେ ସଙ୍ଗେ ଜଣାଇଦେବ । ଯାହାଫଳରେ ଲୋକୋ ପାଇଲଟ୍ଙ୍କର ପୂରା ଧ୍ୟାନ ଟ୍ରେନ୍ ଉପରେ ରହିବ । ” ସେ ଆହୁରି ମଧ୍ୟ କହିଛନ୍ତି, “ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଆମେ ସର୍ବଦା ଗୁରୁତ୍ବ ଦେଇଛୁ । ପ୍ରତି ଘଟଣାର ମୂଳ କାରଣ ଖୋଜିବା ପାଇଁ ଚେଷ୍ଟା କରୁଛୁ ଓ ସମାଧାନ ବାହାର କରୁଛୁ, ଯାହା ଦ୍ୱାରା ଭବିଷ୍ୟତରେ ଯେମିତି ସେହି ଘଟଣାର ପୁନରାବୃତ୍ତି ନ ହେବ । ”