ପୁଣି ଅଜଣା ଜନ୍ତୁ ଆକ୍ରମଣ, ଗାଁରେ କୋକୁଆ ଭୟ!

ପୁଣି ମାତିଛି ଅଜଣା ଜନ୍ତୁ, ମାରୁଛି ମେଣ୍ଢା। ଅଜଣା ଜନ୍ତୁ ଆତଙ୍କରେ ଆତଙ୍କିତ ଲୋକେ । ରାତିର ନିର୍ଜନତାରେ ଆସି ମାରୁଛି ମେଣ୍ଢା । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ବ୍ଲକ ସୋଗରପଶି ପଞ୍ଚାୟତ ଅରଦା ଗାଁରେ । ରାତି ଅଧରେ ଗାଁରେ ପଶି ୪୨ ମେଣ୍ଢାଙ୍କୁ ମାରିଲା ଅଜଣା ଜନ୍ତୁ । ତେବେ ସକାଳୁ ମେଣ୍ଢା ଗୁଡିକର ମୃତଦେହ ପଡିଥିବା ବେଳେ ସେହି ଅଜଣା ଜନ୍ତୁର ପାଦ ଚିହ୍ନ ଦେଖିବାକୁ ପାଇଛନ୍ତି ଗ୍ରାମବାସୀ ।

ତେବେ ସୂଚନା ଅନୁଯାୟୀ ଗତକାଲି ରାତିରେ ଗାଁର ସାଧୁଚରଣ ରାଉତଙ୍କ ଗୁହାଳରେ ପଶି ମେଣ୍ଢା ମାରିଛି ଅଜଣା ଜନ୍ତୁ । ଜଙ୍ଗଲ କଡରେ ଆରଦା ଗାଁ ଥିବାରୁ ଅଜଣାଜନ୍ତୁ ଆକ୍ରମଣ କରୁଥିବା କହିଛନ୍ତି ଗ୍ରାମବାସୀ । ଏକା ସଙ୍ଗେ ଏତେ ସଂଖ୍ୟକ ମେଣ୍ଢା ମରିବା ଦେଖି ଭୟ କରୁଛନ୍ତି ଗ୍ରାମବାସୀ । ପୂର୍ବରୁ ନିଆଳିରେ କ୍ରମାଗତ ଭାବେ ଅଜଣାଜନ୍ତୁ ଆକ୍ରମଣରେ ବହୁ ମେଣ୍ଢାଙ୍କ ଜୀବନ ଯାଇଥିବା ବେଳେ ଏବେ ଢେଙ୍କାନାଳରେ ଏମିତି ମେଣ୍ଢା ମୃତ୍ୟୁକୁ ନେଇ ସଭିଙ୍କ ମନରେ ଖେଳିଯାଇଛି କୋକୁଆ ଭୟ।