ଅକାଳରେ ଖାଦ୍ଯ ଅଭାବରୁ ଚାଲିଗଲା ଦୁଇ ନିଷ୍ପାପ ଜୀବନ !
ପୁଣି ଓଡ଼ିଶାରେ ଗଲା ଅପପୁଷ୍ଟିରେ ଦୁଇ କୋମଳମତି ଶିଶୁଙ୍କ ଜୀବନ । ଅନ୍ୟ କେଉଁଠି ନୁହେଁ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଶିଶୁମଡକ ସାଜିଥିବା ଚର୍ଚ୍ଚିତ ନଗଡାରେ । ପୁଣି ଥରେ ଏହି ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଛି । ଏକ ସାଙ୍ଗରେ ଯାଇଛି ଦୁଇ ଦୁଇଟି ନିଷ୍ପାପ ଜୀବନ । ଖାଦ୍ଯ ଅଭାବରୁ ଏପରି ହୋଇଛି । ଦୁଇ ଓଳି ଖାଇବାକୁ ନା ଭଲ ଗଣ୍ଡେ ଖାଦ୍ଯ ଅଛି ନା ପାଖରେ ଡାକ୍ତରଖାନା । ଖାଦ୍ଯ ଅଭାବରୁ ଗତ ଗୁରୁବାର ନଗଡ଼ା ପଡ଼ୋଶୀ ଗୁହିଆଶାଳ ମୌଜା ତଳଡିହ ବସ୍ତିର ୨ଜୁଆଙ୍ଗ ଶିଶୁଙ୍କର ଅପପୁଷ୍ଟିଜନିତ ମୃତ୍ୟୁ ହୋଇଛି।
ମୃତକ ଦ୍ବୟ ହେଲେ ଫୁଲମଣି ଓ ଅମିନ ପ୍ରଧାନଙ୍କ ପୁଅ ଠାକୁରା ଏବଂ ରଇବାରୀ ଓ ଉଷା ପ୍ରଧାନଙ୍କ ଝିଅ ମିତା। ଦାନଗଦୀ ବ୍ଲକ୍ର ଶିଳ୍ପ ସମୃଦ୍ଧ କଳିଙ୍ଗନଗର ଛାତି ଉପରେ ଅପପୁଷ୍ଟି କାରଣରୁ ଜଣେ ଶିଶୁର ମୃତ୍ୟୁ ପରେ ତମ୍ବିତୋଫାନ୍ ହୋଇଥିଲା। ଏବେ ସୁନାର ସୁକିନ୍ଦାର ନଗଡ଼ା ପାର୍ଶ୍ବବର୍ତ୍ତୀ ଗୁହିଆଶାଳ ମୌଜା ତଳଡିହରେ ଅପପୁଷ୍ଟିଜନିତ ଶିଶୁମୃତ୍ୟୁ ଘଟିଛି। ତେବେ ଯାଜପୁର ପରି ଶିଳ୍ପ ସମୃଦ୍ଧ ଅଞ୍ଚଳରେ ଖାଦ୍ଯ ଅଭାବରୁ ଶିଶୁମୃତ୍ୟୁ ଉଠାଇଛି ବଡ ପ୍ରଶ୍ନବାଚୀ। ସରକାରଙ୍କ ଏତେ ଯୋଜନା କାହା ସ୍ଵାର୍ଥରେ ତାହା ମଧ୍ୟ ଏବେ ସନ୍ଦେହରେ ।
