ଆଉ ଗଡିବନି ବସ୍, ଯାତ୍ରୀ ହେବେ ହନ୍ତସନ୍ତ !

କାଲିଠୁ ସାରା ରାଜ୍ୟରେ ଘରୋଇ ବସ୍‌ ମାଲିକ ସଂଘର ଧର୍ମଘଟ

କାଲିଠୁ ରାଜ୍ୟରେ ଗଡିବନି ବସ୍ । ରାଜ୍ୟରେ ଘରୋଇ ବସ୍ ତରଫରୁ ଦିଆଯାଇଛି ଧର୍ମଘଟ ଡାକରା । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଭୁବନେଶ୍ୱରରେ ସଂଘର ସାଧାରଣ ପରିଷଦ ବୈଠକରେ ଏ ନେଇ ଘୋଷଣା କରାଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ଗତ ୧୦ ତାରିଖରେ ସରକାରଙ୍କ ସହ ହୋଇଥିବା ଆଲୋଚନା ଅନୁସାରେ ସରକାର ଆମ ପ୍ରତିଶ୍ରୁତି ରକ୍ଷା କରି ନାହାନ୍ତି। ଲକ୍ଷ୍ମୀ ବସକୁ ବ୍ଲକ ସ୍ତରରେ ସୀମିତ ରଖି ଜିଲ୍ଲାମୁଖ୍ୟାଳୟକୁ ଚଳାଇବେ ନାହିଁ ବୋଲି କହିଥିଲେ ରାଜ୍ୟ ସରକାର। କିନ୍ତୁ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଥିବା ୬ ଜିଲ୍ଲା ସମେତ ଅନ୍ୟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଜିଲ୍ଲା ମୁଖ୍ୟାଳୟକୁ ଚଳାଇଛନ୍ତି।

ଯାହାକୁ ନେଇ କ୍ଷୁବ୍ଧ ହୋଇଛି ବସ ମାଲିକ ସଂଘ । ତେବେ ଏପରି ସ୍ତରରେ ଦିଆଯାଇଛି ଆଂଦୋଳନର ଡାକରା । କାଲିଠୁ ସାରା ରାଜ୍ୟରେ ଦେଖିବାକୁ ମିଳିବ ଚକାଜାମ ସ୍ଥିତି । ଯାହାକୁ ନେଇ ବିଷମ ସ୍ଥିତିରେ ଯାତ୍ରୀ । ସେପଟେ କାଲିଠୁ ଦଶହରା ଛୁଟି ଆରମ୍ଭ ହେଉଥିବା ବେଳେ ଆଜି ରାଜ୍ୟର ସମସ୍ତ ବାସଷ୍ଟାଣ୍ଡରେ ଭିଡ଼ ଏଖିବାକୁ ମିଳିଛି । କାଲିଠୁ ଯଦି ସତରେ ଆନ୍ଦୋଳନ ହୁଏ ତେବେ ରାଜ୍ୟରେ ଭୟଙ୍କର ସ୍ଥିତି ଦେଖାଯିବ ଅନ୍ୟପଟେ ଘରୋଇ ବସ୍‌ ମାଲିକ ସଂଘର ଧର୍ମଘଟ ଡାକରା ନେଇ ପରିବହନ ମନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। । ତେଣୁ ଏହାର ତୁରନ୍ତ ପଦକ୍ଷେପ ରାଜ୍ୟସରକାର ନିଅନ୍ତୁ ବୋଲି ସାଧାରଣରେ ଦାବି ହୋଇଛି ।