ଅନନ୍ତ ଅମ୍ବାନୀଙ୍କ ଜାମନଗରରୁ ଦ୍ବାରକା ପଦଯାତ୍ରା
ଜାମନଗରରୁ ଦ୍ବାରକା ପଦଯାତ୍ରା କରୁଛନ୍ତି ଅନନ୍ତ ଅମ୍ବାନୀ। ମାର୍ଚ୍ଚ ୨୯ ତାରିଖରୁ ଅନନ୍ତଙ୍କ ଏହି ପଦଯାତ୍ରା ଆରମ୍ଭ ହୋଇଛି। ସେ ଦିନକୁ ୨୦ କିମି ଚାଲୁଛନ୍ତି। ପ୍ରତି ରାତିରେ ସେ ୭ ଘଣ୍ଟା ଲେଖାଏଁ ଚାଲୁଛନ୍ତି। ଭାରତର ଧାର୍ମିକ ଓ ଆଧ୍ୟାତ୍ମିକ ଐତିହ୍ୟ ସହିତ ଗଭୀର ଭାବେ ଜଡ଼ିତ ଥିବା ଦ୍ବାରକା ସହରରେ ସେ ନିଜର ୩୦ତମ ଜନ୍ମଦିନ ପୂର୍ବରୁ ଏପ୍ରିଲ ୮ ତାରିଖରେ ପହଞ୍ଚିବେ। ଏହି ପଦଯାତ୍ରା ମାର୍ଗରେ ଅନନ୍ତଙ୍କୁ ଅନେକ ଲୋକ ଭେଟି ସେମାନଙ୍କ ସମ୍ମାନ ଓ ସଦିଚ୍ଛା ଜଣାଇଛନ୍ତି। ତାଙ୍କୁ ସାଥ୍ ଦେବା ପାଇଁ କେତେକ ଲୋକ ତାଙ୍କ ସହିତ କିଛି ବାଟ ପଦଯାତ୍ରା ମଧ୍ୟ କରୁଛନ୍ତି। କିଛି ଲୋକ ତାଙ୍କୁ ପୀଠର ଅଧିଷ୍ଠାତା ଭଗବାନ ଦ୍ବାରକାଧୀଶଙ୍କ ଫଟୋ ଉପହାର ଦେଉଛନ୍ତି। ଆଉ କିଛି ଲୋକ ଘୋଡ଼ାରେ ଆସି ଫଟୋ ମଧ୍ୟ ଉଠାଉଛନ୍ତି। କୁସିଂସ୍ ସିଣ୍ଡ୍ରୋମ୍ ନାମକ ଏକ ବିରଳ ହରମୋନ୍ ବିକାର ଓ ରୋଗଜନିତ ମେଦବହୁଳତା, ଶ୍ବାସଜନିତ ସମସ୍ୟା ଏବଂ ଗମ୍ଭୀର ଫୁସ୍ଫୁସ୍ ରୋଗଜନିତ ଦୁର୍ବଳତା ସତ୍ତ୍ବେ ଅମ୍ବାନୀ ଏହି କଠିନ ଏବଂ ଉଲ୍ଲେଖନୀୟ ପଦଯାତ୍ରାରେ ବାହାରିଛନ୍ତି। ଦ୍ବାରକା ପର୍ଯ୍ୟନ୍ତ ଏହି ଆଧ୍ୟାତ୍ମିକ ପଦଯାତ୍ରା ସମୟରେ ଅନନ୍ତ ହନୁମାନ ଚାଳିସା, ସୁନ୍ଦରାକାଣ୍ଡ ଓ ଦେବୀ ସ୍ତୋତ୍ର ପାଠ କରୁଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଜଣେ ନିଷ୍ଠାପର ସନାତନୀ ଯିଏ ଆଧ୍ୟାତ୍ମିକ ଉତ୍ସାହ ସହ ଆଗକୁ ବଢ଼ୁଛନ୍ତି। ନିୟମିତ ବ୍ୟବଧାନରେ ସେ ଭାରତର ବିଭିନ୍ନ ପ୍ରସିଦ୍ଧ ଧାର୍ମିକ ସ୍ଥଳ ପରିଦର୍ଶନ କରୁଛନ୍ତି ଯେଉଁଥିରେ ବଦ୍ରିନାଥ, କେଦାରନାଥ, କାମାକ୍ଷା, ନାଥଦ୍ବାର, କାଳୀଘାଟ ଓ କୁମ୍ଭମେଳା ଆଦି ସାମିଲ ରହିଛି।
