ରାଧାଷ୍ଟମୀ ପାଇଁ ଆନନ୍ଦମୁଖର ଶ୍ରୀମନ୍ଦିର

ଆଜି ନଗର ପରିକ୍ରମା କରିବେ ଚକ୍ରରାଜ ସୁଦର୍ଶନ

ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି । ଏହାକୁ ବିଶେଷ ଭାବେ ରାଧାଷ୍ଟମୀ ନାମରେ ଜଣାଯାଏ। ଏହି ପର୍ବକୁ ବିଶେଷ ଭାବେ ଶ୍ରୀମନ୍ଦିରରେ ବହୁ ଆଡମ୍ବରରେ ପାଳିତ କରାଯାଇଥାଏ । ଆଜିର ଦିନରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଉଠିଲେ ଲକ୍ଷ୍ମୀଦେବୀଙ୍କୁ ସିଂହାସନରେ ବିଜେ କରାଯାଇଥାଏ। ମହାଜନ ସେବକମାନେ ଭୂଦେବୀ ଓ ଶ୍ରୀଦେବୀଙ୍କୁ ହସ୍ତରେ ନେଇ ଖଟରେ ବିଜେ କରାଇଥାନ୍ତି। ଏହାପରେ ସୁଦର୍ଶନ ମହାପ୍ରଭୁ ଶ୍ରୀମନ୍ଦିର ବେଢା ପରିକ୍ରମା କରିବେ। ପୂଜାପଣ୍ଡା ସେବକ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଶ୍ରୀସୁଦର୍ଶନ ଦେବଙ୍କୁ ପ୍ରଦାନ କରିବାପରେ ଦଇତାପତି ସେବକମାନେ ହସ୍ତରେ ବିଜେ କରାଇ ଆଣି ଜଗମୋହନରେ ଥିବା ଚଉଦୋଳରେ ଅଧିଷ୍ଠିତ କରାଇଥାନ୍ତି। ଏହାପରେ ବିମାନ ବଡୁମାନେ ଶ୍ରୀସୁଦର୍ଶନ ଦେବଙ୍କୁ ବିଜେ କରାଇ ଝୁଲଣ ମଣ୍ଡପ ତଳେ ରଖିଥାନ୍ତି। 

ଏହି ଅବସରରେ ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତି ପ୍ରତିମା ନଗର ପରିକ୍ରମା କରିବେ । ନଗର ପରିକ୍ରମା ଓ ପନ୍ତି ଭୋଗ ଖାଇବା ପରେ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଓ ହିସାବ ରକ୍ଷକ ଭାବେ ପରିଚିତ ଗୌଡ଼ବାଡ଼ ସାହିରେ ଥିବା ଜମ୍ବେଶ୍ୱର ମହାଦେବ ମନ୍ଦିରକୁ ବିଜେ କରିବେ । ସେଠାରେ ଶୀତଳ ଭୋଗ ଓ ପ୍ରସାଦ ଲାଗି ନିତି ଅନୁଷ୍ଠିତ ହେବ । ଜମ୍ବେଶ୍ୱରଙ୍କ ପକ୍ଷରୁ ଜଣେ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ହିସାବ ସୁଦର୍ଶନଙ୍କ ସମୁଖରେ ପଢି ନିତି ସମ୍ପର୍ଣ କରିବେ | ସୁଦର୍ଶନ ମହାପ୍ରଭୁ ଜମ୍ବେଶ୍ୱରଙ୍କ ଠାରୁ ଆୟବ୍ୟୟ ହିସାବ ଆଣିବା ପରେ ସେଠାରୁ ଶ୍ରୀମନ୍ଦିର ପ୍ରତ୍ୟାବର୍ତନ କରିବେ ।