ଘଟଗାଁ ମାଆ ତାରିଣୀ ମନ୍ଦିରରେ ଆଳତୀ ସମୟରେ ବୃଦ୍ଧା ମୃତ

ମାଆ ତାରିଣୀଙ୍କୁ ଦେଖି ଦେଖି ଟଳିପଡ଼ିଲେ ବୃଦ୍ଧା

ବଡ଼ ଶ୍ରଦ୍ଧାରେ ମାଆଙ୍କ ପାଖକୁ ଆସିଥିଲେ । ମାଆଙ୍କ ଦର୍ଶନ କଲେ । ୧୦୮ ନଡ଼ିଆ ବି ବାଡେଇଲେ । ଆଉ ଶେଷରେ ମାଆଙ୍କୁ ଦେଖୁଦେଖୁ ସେଇଠି ଟଳିପଡ଼ିଲେ । ଘଟଗାଁ ମା ତାରିଣୀ ମନ୍ଦିରରେ ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମା’ଙ୍କ ଆଳତି ଚାଲିଥିବା ବେଳେ ପରପାରିକୁ ଚାଲିଗଲେ ଜଣେ ମହିଳା ଭକ୍ତ। ଆଜି ମଙ୍ଗଳବାର ହୋଇଥିବା କାରଣରୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥିଲା। ମାଆ ତାରିଣୀଙ୍କର ସକାଳ ଆଳତି ଚାଲିଥିଲା ବେଳେ ସେଠାରେ ଉପସ୍ଥିତ ଜଣେ ଭକ୍ତଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ମହିଳାଙ୍କ ନାମ ସରସ୍ବତୀ ବେହେରାଓ  ତାଙ୍କର ବୟସ ୭୮ ବର୍ଷ ବୋଲି ଜଣାପଡିଛି । ସରସ୍ବତୀ ବେହେରାଙ୍କ ଘର ଭୁବନେଶ୍ୱର ପଟିଆସ୍ଥିତ କିମ୍ସ ହସ୍ପିଟାଲ ନିକଟରେ। ସେ ନିଜ ପରିବାର ସହ ଘଟଗାଁ ମା’ ତାରିଣୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଆସିଥିଲେ। ସକାଳେ ମାଙ୍କୁ ୧୦୮ ନଡ଼ିଆ ଭୋଗ ଲାଗି କରିବା ସହ ଆଳତି ଦର୍ଶନ ପାଇଁ ମାଙ୍କ ନିକଟରେ ବସିଥିଲେ। ଏହି ସମୟରେ ହଠାତ ତଳେ ଟଳି ପଡ଼ିଥିଲେ ସେ । ତା’ପରେ ତାଙ୍କୁ ତୁରନ୍ତ ଘଟଗାଁ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।