ଅଦିନିଆ ରଥଯାତ୍ରା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ
ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟ ଅତିଥି ଭବନରେ ବସିଥିଲା ବୈଠକ । ଗଜପତି ମହାରାଜ ଦିବ୍ୟ ସିଂ ଦେବଙ୍କ ଅଧ୍ୟକ୍ଷତାରେ ଆଜି ବସିଥିଲା ଗୁରୁତ୍ୱପୂର୍ଣ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀ , ଇସ୍କନ କର୍ତ୍ତୃପକ୍ଷ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ । ବୈଠକରେ ଯୋଗ ଦେବାକୁ ବିଦେଶରୁ ଆସିଛନ୍ତି ଇସ୍କନ କର୍ତ୍ତୃପକ୍ଷ । ଏହା ସହ ମାୟାପୁରୀ ଇସ୍କନ ମୁଖ୍ୟାଳୟର ପ୍ରମୁଖ କର୍ମକର୍ତ୍ତା ବି ଉପସ୍ଥିତ ଥିଲେ । ବୈଠକ ରେ ଇସ୍କନ ପ୍ରତିନିଧି ,ଶ୍ରୀମନ୍ଦିର ପ୍ରତିନିଧି ,ଜଗନ୍ନାଥ ଗବେଷକ ଓ ବିଶେଷଜ୍ଞ ପ୍ରମୁଖ ଯୋଗ ଦେଇ ନିଜ ନିଜ ପକ୍ଷ ରଖିଥିଲେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଇସ୍କନ କର୍ତ୍ତୃପକ୍ଷଙ୍କୁ ଶ୍ରୀମନ୍ଦିର ନୀତି ନିୟମ ଅନୁସାରେ ଦେଶରେ ଓ ବିଦେଶରେ ରଥଯାତ୍ରା କରିବାକୁ ପୁଣି ଥରେ ନିବେଦନ କରାଯାଇଥିଲା । ହେଲେ ଏହି ନିବେଦନକୁ ଇସ୍କନ ମାନିବ କି ନାହିଁ ତାହା ଏ ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିନି । କାରଣ ଭାରତ ଭିତରେ ଇସ୍କନର ସବୁ ପ୍ରକାର ନିଷ୍ପତ୍ତି ଗୋଟିଏ ସଂଗଠନ ନେଉଥିବା ବେଳେ ବିଦେଶରେ ଇସ୍କନର ନିଷ୍ପତ୍ତି ଆମେରିକାର ଆଉ ଏକ ସଂଗଠନ ନେଇଥାଏ ।

ତେଣୁ ଭାରତ ବାହାର ନିଷ୍ପତି ସେହି ସଂଗଠନ ନେବ,ସେହି ଆଧାରରେ ଆଜିର ବୈଠକରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିବା ଅନୁରୋଧକୁ ଅନ୍ତର୍ଜାତୀୟ ସଂଗଠନ ନିକଟରେ ଉପସ୍ଥାପନ କରାଯିବ ବୋଲି ଇସ୍କନ କର୍ତ୍ତୃପକ୍ଷ କହିଛନ୍ତି । ସେମାନେ ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ ସେମାନେ କାର୍ଯ୍ୟ କରିବେ ବୋଲି କହିଛନ୍ତି ଇସ୍କନ କର୍ତ୍ତୃପକ୍ଷ । ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ତିଥି ଛାଡି ଅନ୍ୟ ଦିନରେ ରଥଯାତ୍ରା ପାଳନକୁ ନ କରିବା ପରେ ଇସ୍କନକୁ ପୂର୍ବରୁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଥିଲା । ଇସ୍କନର ଅଦିନିଆ ରଥଯାତ୍ରା ପାଳନ ହେଲେ ଧାର୍ମିକ ଭାବନାରେ ଆଘାତ ହେଉଛି । ରଥଯାତ୍ରା ଶାସ୍ତ୍ର ଅନୁସାରେ ହେଉଥିବାରୁ ନିର୍ଦ୍ଧିଷ୍ଟ ତିଥି ଅନୁଯାୟୀ ରଥଯାତ୍ରା କରିବା ସହ ଜଗନ୍ନାଥ ନୀତି ନିୟମ ମାନିବାକୁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି ।