‘ସମ୍ବଲପୁରରେ ଶ୍ରମିକଙ୍କ ପାଇଁ ୫୦୦ ବେଡ୍ ବିଶିଷ୍ଟ ହସ୍ପିଟାଲ’

‘ଓଡ଼ିଆରେ ମେଡିକାଲ ପାଠ୍ୟକ୍ରମ ହେବ’

ସମ୍ବଲପୁର ଅଇଁଠାପାଲିରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅମିତ ଶାହ । ସେ କହିଛନ୍ତି, ‘ଓଡ଼ିଶା ପୂରା ଦେଶରେ ସବୁଠୁ ସମୃଦ୍ଧ ରାଜ୍ୟ ହୋଇଥିବା ବେଳେ ଏଠାକାର ଲୋକ ସବୁଠୁ ଗରିବ । ଓଡ଼ିଶା ପ୍ରାକୃତିକ ଓ ଖଣିଜ ସମ୍ପଦର ଗନ୍ତାଘର ହୋଇଥିବା ବେଳେ ଏଠାକାର ନବୀନ ସରକାରର ବାବୁ ଏହାକୁ ଲୁଟ୍ କରୁଛନ୍ତି । ବିଜେପି ସରକାରରେ ଖଣିଜ ପଦାର୍ଥ ରାଜ୍ୟ ବାହାରକୁ ଯିବନି ବରଂ ଏହିଠାରେ ହିଁ ଉତ୍ପାଦନ କରାଯିବ । ଯାହାର ଲାଭ ଓଡ଼ିଶାର ଯୁବବର୍ଗଙ୍କୁ ମିଳିବ । ଓଡ଼ିଶାର ଯୁବବର୍ଗଙ୍କୁ ଦାଦନ ଖଟିବାକୁ ଯିବାକୁ ପଡିବନି, ବରଂ ଏହିଠାରେ ହିଁ ସେମାନଙ୍କୁ ନିଯୁକ୍ତି ମିଳିବ । ଓଡ଼ିଶା ବିକାଶ କରିବାକୁ ଏଠାରେ ସବୁ ଅଛି ହେଲେ ଓଡ଼ିଶାରେ ପରିଶ୍ରମୀ ମୁଖ୍ୟମନ୍ତ୍ରୀ ନାହାଁନ୍ତି । ବିଜେପି ସରକାର ଆଣନ୍ତୁ, ଏଠାରେ ଜଣେ ପରିଶ୍ରମୀ ଯୁବକଙ୍କୁ ମୁଖ୍ୟମନ୍ତ୍ରୀ କରିବୁ ଯିଏ ଓଡ଼ିଶା ପାଇଁ ଦିନରାତି କାମ କରିବ’ । ଆଜି ବି ଓଡ଼ିଶାରେ ୨୬ ଲକ୍ଷ ଲୋକଙ୍କ ପାଖରେ ପାନୀୟ ଜଳ ନାହିଁ । ସଡକ, ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ଓଡ଼ିଶା ବେଶ୍ ପଛରେ ରହିଛି । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜିଗଲା, ଡୁପ୍ଲିକେଟ ଚାବି ବୁଲିଲା, ଯାହାର ରିପୋର୍ଟ ସାବର୍ଜନୀନ କରାଗଲାନି । କିନ୍ତୁ ବିଜେପି ସରକାର ଆସିଲେ ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରିବା ସହ ରତ୍ନଭଣ୍ଡାରର ଟିକିନିକି ତଥ୍ୟ ଓଡ଼ିଶାବାସୀଙ୍କ ସାମ୍ନାରେ ରଖିବୁ । ସମ୍ବଲପୁରବାସୀଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି, ଜିଲ୍ଲାର ଶ୍ରମିକଙ୍କ ପାଇଁ ୫୦୦ ବେଡ୍ ବିଶିଷ୍ଟ ହସ୍ପିଟାଲ ସହ ମେଡିକାଲ କଲେଜ କରିବୁ । ଓଡ଼ିଶାରେ ପେସା ଆଇନ ଲାଗୁ କରିବୁ । ଓଡ଼ିଶାରେ ମେଡିକାଲ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ କରିବୁ’ ।ଆହୁରି କହିଛନ୍ତି ଯେ, ‘ଉତ୍କଳ ଭୂମିର ଶାସନ ଜଗନ୍ନାଥ ପରମ୍ପରାକୁ ଆଗକୁ ନେଉଥିବା ବ୍ୟକ୍ତି ହିଁ କରିବ । ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ଜଗନ୍ନାଥ ପରମ୍ପରାକୁ ଅକ୍ଷୂଣ୍ଣ ରଖିବାକୁ କାମ କରିଥିଲେ । ସାରା ଦେଶରେ ଓଡ଼ିଶା ସମୃଦ୍ଧ, ଓଡ଼ିଶା ଲୋକ କିନ୍ତୁ ଗରିବ । ନବୀନ ବାବୁଙ୍କ ଲୋକ ଓଡ଼ିଶାର ଖଣିଜ ସଂପଦ ଲୁଟି ଚାଲିଛନ୍ତି । କଥା ଦେଉଛି, ବିଜେପି ସରକାର ଆସିଲେ ଖଣିଜ ସଂପଦର ସୁବିନିଯୋଗ ହେବ । ଓଡ଼ିଶାରେ ସବୁ ଅଛି, କିନ୍ତୁ ଗୋଟିଏ ଜିନିଷ ହିଁ କେବଳ ଅଭାବ । ତାହା ହେଉଛି ଓଡ଼ିଶା ପାଇଁ ପରିଶ୍ରମ କଲା ଭଳି ମୁଖ୍ୟମନ୍ତ୍ରୀ ନାହାନ୍ତି । କଥା ଦେଉଛି, ବିଜେପି ସରକାରରେ ଓଡ଼ିଶା ପାଇଁ ପରିଶ୍ରମୀ ମୁଖ୍ୟମନ୍ତ୍ରୀ ଦେବୁ’ ବୋଲି ଶାହ କହିଛନ୍ତି ।