ମେଣ୍ଟ ଚର୍ଚ୍ଚାକୁ ଆହୁରି ଅଧିକ ଖୋରାକ ଯୋଗାଇଲେ ଶାହ

ଓଡ଼ିଶାରେ କିଛି ବି ହୋଇପାରେ: ଅମିତ ଶାହ

ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ନେଇ ଅମିତ ଶାହଙ୍କ ବଡ଼ ବୟାନ। ମେଣ୍ଟ ଚର୍ଚ୍ଚାକୁ ଆହୁରି ଅଧିକ ଖୋରାକ ଯୋଗାଇଲେ ଶାହ । କହିଲେ ଓଡ଼ିଶାରେ କିଛି ବି ହୋଇପାରେ। ମେଣ୍ଟ ହେଲେ ଏକାଠି ଲଢ଼ିବୁ । ଆଉ ମେଣ୍ଟ ନହେଲେ ଏକାକୀ ଲଢ଼ିବୁ । କିନ୍ତୁ ବିଜେପିର ସ୍ଥିତି ବଦଳିବ । ଉଭୟ ବିଧାନସଭା ଓ ଲୋକସଭାରେ ବିଜେପି ବହୁତ ଭଲ ପ୍ରଦର୍ଶନ କରିବ । ଏକାକୀ ଲଢ଼ିଲେ ବି ଆମେ ସରକାର ଗଠନ କରିବା ପାଇଁ ଲଢ଼ିବୁ କହିଛନ୍ତି ଶାହ । ତେବେ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଛେଦ ନପକାଇ ସେ କହିଛନ୍ତି ଏନେଇ ନିଷ୍ପତ୍ତି ହୋଇନାହିଁ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହାର ନିଷ୍ପତ୍ତି ନେବେ । କିନ୍ତୁ ଶାହ ଗୋଟିଏ କଥାକୁ ବାରମ୍ବାର ଦୋହରାଇଛନ୍ତି ଯେ, ବିଜେପି ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ଭଲ ପ୍ରଦର୍ଶନ କରିବ । ଆସନ ସଂଖ୍ୟା ବଢ଼ିବ । ଓଡ଼ିଶାରେ ବିଜେପି ଶକ୍ତିରେ ବଡ଼ ଅଭିବୃଦ୍ଧି ଘଟିବ । ଦିଲ୍ଲୀରେ ଏକ ଜାତୀୟ ଗଣମାଧ୍ୟମର ସାକ୍ଷାତକାର କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କହିଛନ୍ତି ଅମିତ ଶାହ । ଅନ୍ୟପଟେ ଗତକାଲି ଭିକେ ପାଣ୍ଡିଆନ୍‌ ମଧ୍ୟ ଏକ ଜାତୀୟ ଗଣେମାଧ୍ୟମରେ ସାକ୍ଷାତକାରରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିନଥିଲେ । ବରଂ ସେ କହିଥିଲେ କେନ୍ଦ୍ରରେ ଯେମିତି ବିଜେପି ସରକାର ଗଢ଼ିବା ପାଇଁ କାହାରି ସହ ମେଣ୍ଟ କରିବାର ଆବଶ୍ୟକତା ନାହିଁ । ଠିକ୍ ସେମିତି ଓଡ଼ିଶାରେ ବିଜେଡି ସରକାର ଗଢ଼ିବା ପାଇଁ କାହା ସହ ମେଣ୍ଟ କରିବା ଆବଶ୍ୟକ ନାହିଁ । କେବଳ ଓଡ଼ିଶାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ମୋଦି-ନବୀନ ଏକାଠି ହୋଇପାରନ୍ତି ।