ଆନ୍ଧ୍ରପ୍ରଦେଶର ସ୍ଥାୟୀ ରାଜଧାନୀ ‘ଅମରାବତୀ’
୧୨ ବର୍ଷର ଅପେକ୍ଷାର ଅନ୍ତ । ଆନ୍ଧ୍ରପ୍ରଦେଶର ସ୍ଥାୟୀ ରାଜଧାନୀ ଭାବେ ‘ଅମରାବତୀ’ ଘୋଷିତ । ଅମରାବତୀ ହେଲା ଆନ୍ଧ୍ରପ୍ରଦେଶର ସରକାରୀ ରାଜଧାନୀ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି ।
ରାଜ୍ୟ ବିଭାଜନର ୧୨ ବର୍ଷ ପରେ କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶର ରାଜଧାନୀ ଭାବେ ଅମରାବତୀକୁ ଆନୁଷ୍ଠାନିକ ଭାବେ ମାନ୍ୟତା ଦେଇଛନ୍ତି । ଏଥିପାଇଁ ଗତକାଲି ଭାରତ ସରକାରଙ୍କ ପକ୍ଷରୁ ଏକ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି । ସଂସଦରେ ‘ଆନ୍ଧ୍ରପ୍ରଦେଶ ପୁନର୍ଗଠନ (ସଂଶୋଧନ) ଅଧିନିୟମ, ୨୦୨୬’ ପାରିତ ହେବା ପରେ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମତି ପରେ ଏହାକୁ ସରକାରୀ ମାନ୍ୟତା ମିଳିଛି ।
ପୂର୍ବରୁ ୨୦୧୪ ମସିହାର ଆଇନରେ ରାଜଧାନୀ ନାମ ସ୍ପଷ୍ଟ ନଥିଲା । କିନ୍ତୁ ବର୍ତ୍ତମାନର ସଂଶୋଧନ ପରେ ‘ଅମରାବତୀ’ ହିଁ ଆନ୍ଧ୍ରର ଏକମାତ୍ର ଏବଂ ସ୍ଥାୟୀ ରାଜଧାନୀ ଭାବେ ପରିଗଣିତ ହେବ । ଏହି ନୂଆ ନିୟମ ୨ ଜୁନ୍ ୨୦୨୪ ରୁ କାର୍ଯ୍ୟକାରୀ ହୋଇଛି ବୋଲି ଧରାଯିବ । ପୂର୍ବରୁ ଚାଲିଥିବା ‘୩ଟି ରାଜଧାନୀ’ Executive, Legislative, Judicial ବିବାଦର ଏହା ଦ୍ୱାରା ସମ୍ପୂର୍ଣ୍ଣ ଅନ୍ତ ଘଟିଛି । ଏବେ ଶାସନର ସମସ୍ତ ବିଭାଗ କେବଳ ଅମରାବତୀରେ କାର୍ଯ୍ୟ କରିବ ।
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏହାକୁ ଜନସାଧାରଣ ଏବଂ ବିଶେଷ କରି ଜମି ଦେଇଥିବା ଅମରାବତୀର ଚାଷୀମାନଙ୍କର ବିଜୟ ବୋଲି କହିଛନ୍ତି । ଏହି ନିଷ୍ପତ୍ତି ଫଳରେ ରାଜ୍ୟରେ ନିବେଶ ବଢ଼ିବ ଏବଂ ପ୍ରଶାସନିକ ସ୍ଥିରତା ଆସିବ ବୋଲି ଆଶା କରାଯାଉଛି । ଅମରାବତୀକୁ ରାଜଧାନୀ କରିବାର ମୂଳଦୁଆ ୨୦୧୫ରେ ତେଲୁଗୁ ଦେଶମ ପାର୍ଟି ଶାସନକାଳ ଭିତରେ ରଖାଯାଇଥିଲା । ୨୦୧୯ରେ ୱାଇଏସଆରସିପି ଶାସନରେ ଆସିବା ପରେ ଅମରାବତୀର ସମସ୍ତ ପ୍ରୋଜେକ୍ଟ ବନ୍ଦ ପଡିଥିଲା ।
