‘ପଞ୍ଚାୟତିରାଜ ଦିବସ ପାଳନ ରାଜ୍ୟ ସରକାରଙ୍କ ନିଷ୍ପତ୍ତି’

ବିଜେଡିକୁ କଡ଼ା ସମାଲୋଚନା କଲେ ଅମର ପ୍ରସାଦ ଶତପଥୀ

ବିଜୁ ଲିଗାସୀ ଓ ପଞ୍ଚାୟତିରାଜ ଦିବସ ପାଳନକୁ ନେଇ ବିଜେଡିକୁ କଡ଼ା ସମାଲୋଚନା କଲେ ଏକଦା ସ୍ୱର୍ଗତ ବିଜୁ ବାବୁଙ୍କର ଘନିଷ୍ଠ ଥିବା ଅମର ପ୍ରସାଦ ଶତପଥୀ । ପୂର୍ବତନ ମନ୍ତ୍ରୀ ଅମର କହିଛନ୍ତି, ବିଜୁ ଲିଗାସୀକୁ କେହି ଚାହିଁଲେ ବି କାଟି ପାରିବେନି। ପଞ୍ଚାୟତିରାଜ ଦିବସ ପାଳନ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ଜାତୀୟ ସ୍ରୋତରେ ସାମିଲ ହୋଇଛନ୍ତି ରାଜ୍ୟ ସରକାର। ଏଥିରେ କୌଣସି ତ୍ରୁଟି ନାହିଁ ବା ବିଚ୍ୟୁତି ବି ନାହିଁ । ରାଜ୍ୟ ସରକାର ଠିକ୍ ଭାବେ ବିଜୁ ଜୟନ୍ତୀ ପାଳନ କରିଛନ୍ତି । ବିଜୁ ବାବୁଙ୍କୁ ସମ୍ମାନ ଦେଇଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ବିଜୁ ବାବୁଙ୍କ ଅଧୁରା ସ୍ଵପ୍ନକୁ ପୂରଣ କରିବେ ବୋଲି। ବିଜେଡ଼ି ଗଠନ ହୋଇଥିଲା ବିଜୁ ବାବୁଙ୍କ ନାଁରେ। ଉଦ୍ଦେଶ୍ୟ ଥିଲା ବିଜୁ ବାବୁଙ୍କ ସ୍ଵପ୍ନ, ବିଚାର ଓ ଆଦର୍ଶ କାର୍ଯ୍ୟକାରୀ କରିବା। କିନ୍ତୁ ସେଥିରେ ଅନେକ ତ୍ରୁଟି ବିଚ୍ୟୁତି ହେଲା। ଯେଉଁଥିପାଇଁ ଓଡିଶା ଲୋକ ମୁହଁ ମୋଡି ଦେଲେ ବୋଲି କହିଛନ୍ତି ଅମର । ଏବେ ପରବର୍ତ୍ତୀ ମୁହୂର୍ତ୍ତରେ ସେକଥା ଖୋଜିଲେ ତାର କୌଣସି ପ୍ରାସଙ୍ଗିକତା ନାହିଁ। ଏହା ରାଜ୍ୟ ସରକାରଙ୍କର କୌଣସି କ୍ଷୁଦ୍ର ମାନସିକତା ନୁହେଁ ବୋଲି ସେ କହିଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିବା ଯଥାର୍ଥ ଓ କୌଣସି ବିଲକ୍ଷଣ ନାହିଁ ବୋଲି ସେ କହିଛନ୍ତି ।