ଶରଧାବାଲିରେ ତିନିରଥ

ରତ୍ନବେଦି ଛାଡ଼ି ଜନ୍ମବେଦି ଆସିଛନ୍ତି ମହାବାହୁ

ଶରଧାବାଲିରେ ତିନିରଥ। ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ସମ୍ମୁଖରେ ଲାଗିଛି। ଭକ୍ତମାନେ ତିନି ରଥ ଟାଣି ଟାଣି ନେଇ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲଗାଇଛନ୍ତି। ରତ୍ନବେଦି ଛାଡ଼ି ଜନ୍ମବେଦି ଆସିଛନ୍ତି ମହାବାହୁ। ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ଆସିଛନ୍ତି। ୫ ଦଶନ୍ଧି ପରେ ଏବର୍ଷ ରଥଯାତ୍ରା ଦୁଇ ଦିନ ପଡ଼ିଥିବାରୁ ଗତକାଲି ରଥ ଅଳ୍ପବାଟ ଟଣାଯାଇ ରହିଥିଲା। ସିଂହଦ୍ବାର ଠାରୁ ମାତ୍ର ଅଳ୍ପ ଦୂର ଯାଇ ଅଟକିଥିଲେ କାଳିଆ ସାଆନ୍ତ।

ଶ୍ରୀକୃଷ୍ଣ ସିନେମା ହଲ୍ ପାଖରେ ଅଟକିଥିଲା ଦେବୀସୁଭଦ୍ରାଙ୍କ ଦର୍ପଦଳନ ରଥ। ସେହିପରି ମରିଚିକୋଟ ଛକରେ ଅଟକିଥିଲା ବଳଭଦ୍ରଙ୍କ ତାଳଧ୍ବଜ ରଥ। ଆଜି ସକାଳୁ ପୁଣି ଆରମ୍ଭ ହୋଇଥିଲା ରଥଟଣା। ଏଥିପାଇଁ ଲୋକାରଣ୍ୟ ହୋଇପଡ଼ିଥିଲା ପୁରୀ ବଡ଼ଦାଣ୍ଡ। ରଥଯାତ୍ରାରେ ସାମିଲ ହେବାକୁ ଆଜି ବି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତି ଓ ଭାବରେ ଭିଜୁଛି ଶ୍ରୀକ୍ଷେତ୍ର।