ସବୁ ଚିଟଫଣ୍ଡ ଜମାକାରୀ ଫେରିପାଇବେ ଟଙ୍କା
ଚିଟଫଣ୍ଡ ପ୍ରସଙ୍ଗରେ ବିଜେଡ଼ିକୁ କଡ଼ା ଟାର୍ଗେଟ କଲା ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେଡ଼ି ଉପରେ ବର୍ଷିଲେ ରାଜ୍ୟ ସଭାପତି ମନମୋହନ ସାମଲ । ସରକାରଙ୍କ ଉପରେ ବିଶ୍ୱାସ ଭରସା ରଖି ଜମାକାରୀ ମାନେ ଚିଟଫଣ୍ଡରେ ଟଙ୍କା ଜମା କରିଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ, ବିଗତ ସରକାରରେ 15 ବର୍ଷ ଭିତରେ 174 ଚିଟଫଣ୍ଡ କମ୍ପାନୀ ଓଡ଼ିଶାର ସାଧାରଣ ଲୋକଙ୍କ କଷ୍ଟ ଅର୍ଜିତ ଟଙ୍କା ଲୁଟ କରିବାରେ ଲାଗିଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ତାଙ୍କ ମନ୍ତ୍ରୀ, ବିଧାୟକ, ସାଂସଦ ମାନେ ପ୍ରାୟୋଜିତ ଭାବେ ଚିଟଫଣ୍ଡ ମାଧ୍ୟମରେ ଲୋକଙ୍କ ପଇସା ଆତ୍ମସାତ କରୁଥିଲେ । ବିଜେଡ଼ିର ଅନେକ ନେତା, ମନ୍ତ୍ରୀ ଏଥିପାଇଁ ଦଣ୍ଡିତ ହୋଇ ବର୍ଷ ବର୍ଷ ଜେଲ ମଧ୍ୟ ଯାଇଛନ୍ତି । ପ୍ରାୟୋଜିତ ଚିଟଫଣ୍ଡ କାରଣରୁ ଲକ୍ଷ ଲକ୍ଷ ଲୋକ ଅନିଶ୍ଚିତତା ଭିତରେ ଦିନ କାଟୁଥିଲେ ।
ସେତେବେଳେ ସରକାର ଉପରୁ ଓଡ଼ିଶା ଲୋକ ବିଶ୍ୱାସ ଉଠିଯାଇଥିଲା । ଏପରିକି ବିଜେଡ଼ି ଶାସନରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକ ମାନେ ଚିଟଫଣ୍ଡ କମ୍ପାନୀକୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସୁପ୍ରିମକୋର୍ଟକୁ କେସ ଗଲା ପରେ ପୂର୍ବ ସରକାର କର୍ପସ ଫଣ୍ଡ ତିଆରି କଲେ । କିନ୍ତୁ ବିଜେଡ଼ି ସରକାରର ନିୟତ ଠିକ୍ ନଥିବାରୁ କ୍ରୀୟନ୍ଵୟନ ହୋଇପାରିଲା ନାହିଁ । ପୂର୍ବ ସରକାର କମିଶନ ପରେ କମିଶନ ବସାଇଲେ । କିନ୍ତୁ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଗଲା ନାହିଁ । ବିଜେପି ନିର୍ବାଚନୀ ସଂକଳ୍ପ ପତ୍ରରେ ଘୋଷଣା କରିଥିଲା । ସବୁ ଯୋଗ୍ୟ ଜମାକାରୀ ମାନଙ୍କୁ ଟଙ୍କା ଫେରସ୍ତ କରାଯିବ । ଛୋଟ, ବଡ଼ ସବୁ ଜମାକାରୀଙ୍କ ଟଙ୍କା ଫେରାଇବେ ବିଜେପି ସରକାର । ପର୍ଯ୍ୟାୟକ୍ରମେ ଟଙ୍କା ଫେରାଇବେ ସରକାର । 3ରୁ 4 ମାସ ଭିତରେ 5 ଲକ୍ଷ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ । ବିଜେପି ସରକାର କମିଶନ ରିପୋର୍ଟ ମଧ୍ୟ ଯାଞ୍ଚ କରିବେ।
