ଆଜିଠୁ ରାଜ୍ୟର ସବୁ ସ୍କୁଲ କଲେଜ ଛୁଟି
ଆଜିଠୁ ରାଜ୍ୟର ସବୁ ସ୍କୁଲ କଲେଜ ଛୁଟି। ସବୁ ଜିଲ୍ଲାର ରିଭିୟୁ ମିଟିଙ୍ଗ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏଥିସହ ଯେଉଁ ଛାତ୍ରଛାତ୍ରୀ ଚାହିଁବେ ସେମାନେ ହଷ୍ଟଲେରେ ରହିପାରିବେ । ପିଲାଙ୍କ ଅଙ୍ଗନବାଡି ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି କାଲିଠାରୁ ଅଙ୍ଗନବାଡି ମଧ୍ୟ ବନ୍ଦ ରହିବ। ଖାଦ୍ୟ ଯୋଜନା ମାଧ୍ୟମରେ ଘରେ ଖାଦ୍ୟ ପହଂଚିବ । ଖରାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ପ୍ରଥମେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲାପାଳ ବଡ ନିଷ୍ପତ୍ତି ନେଇଥିଲେ । ୨୩ରୁ ୨୫ ତାରିଖ ଯାଏଁ ସ୍କୁଲ ଛୁଟି ରହିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୨୬ ତାରିଖ ଯାଏଁ ଜଳିବ ପଶ୍ଚିମ ଓଡ଼ିଶା । ତେବେ ୨୪ ତାରିଖ ଯାଏଁ ଝାରସୁଗୁଡ଼ା ରହିବ ସବୁଠାରୁ ଉତ୍ତପ୍ତ । ଏହାସହ ଆଜିପାଇଁ ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗୀର ଏହି ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୨୫ ଯାଏଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ପଶ୍ଚିମ ଓଡ଼ିଶାକୁ ମିଳିବ ନାହିଁ ନିସ୍ତାର । ଉପକୂଳ ଓଡ଼ିଶାରେ ଗୁଳୁଗୁଳି କଲବଲ କରିବ ଏବଂ ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।
