ପରିଚୟ ଖୋଜିବାର ସମସ୍ତ କସରତ ଅକାମୀ

ଅଚିହ୍ନା ଶବର ପରିଚୟ ନେଇ ଜଳିଲା ଜୁଇ

୪ ମାସର ଅପେକ୍ଷା ଶ୍ମଶାନରେ ଅଚିହ୍ନା ଶବର ପରିଚୟ ନେଇ ଜଳିଯାଇଛି, ବାହାନଗା ଟ୍ରେନ୍ ଦୁର୍ଘଟଣାର ଯାତ୍ରୀଙ୍କ ଜୁଇ । ୪ ମାସ ତଳେ ଯେଉଁ ଯାତ୍ରୀମାନଙ୍କ ନାଁ ଓ ଠିକଣା ସହ ଟ୍ରେନରେ ଚଢ଼ିଥିଲେ, ସେଇଯାତ୍ରମାନେ ଏବେ ଅଜଣା- ଅପରିଚିତର ଆଖ୍ୟା ନେଇ ବିଦାୟ ନେଇଛନ୍ତି । ଭୁବନେଶ୍ୱର ଭରତପୁର ଓ ସତ୍ୟନଗର ଶ୍ମଶାନରେ ଜଳୁଥିବା ନିଆଁ, ସେଇ ମର୍ମନ୍ତୁଦ ଦୁର୍ଘଟଣାର ଲୋମହର୍ଷଣ କାହାଣୀକୁ ପୁଣି ଥରେ ମନେ ପକାଇଦେଇଛି । ପରିଚୟ ଖୋଜିବାର ସମସ୍ତ କସରତ ଯେତେବେଳେ ଅକାମୀ ହୋଇଯାଇଥିଲା, ମୃତ ଶରୀର ଗୁଡ଼ିକର ଅନ୍ତିମ ସଂସ୍କାର କରିଦେବା ବ୍ୟତୀତ ଆଉ କୌଣସି ବିକଳ୍ପ ହିଁ ନଥିଲା ।

୪ ମାସରୁ ଅଧିକ ସମୟରେ ଧରି ଭୁବନେଶ୍ୱର ଏମ୍ସର ଫ୍ରିଜରେ ଥିବା ଶବଗୁଡ଼ିକର ଅନ୍ତିମ ସଂସ୍କାର କରିବା ପାଇଁ ନିଷ୍ପତି ହେବା ପରେ, ପର୍ଯ୍ୟାୟକ୍ରମେ ସମସ୍ତ ମୃତହେଦକୁ ବିଏମସିକୁ ହସ୍ତାନ୍ତର କରାଯାଇଥିଲା । ସମସ୍ତ ପ୍ରକ୍ରିୟା ସରିବା ପରେ ଶବ ଗୁଡ଼ିକୁ ଭୁବନେଶ୍ୱର ଭରତପୁର ଏବଂ ସତ୍ୟନଗର ଶ୍ମଶାନକୁ ନିଆଯାଇଥିଲା । ଯେଉଁଠି ଅଚିହ୍ନା ଶବଗୁଡ଼ିକ ଶେଷକର୍ମ କରାଯାଇଛି । ତେବେ ଶବ ସଂସ୍କାର କରିବା ପୂର୍ବରୁ ସମସ୍ତ ପ୍ରକ୍ରିୟାର ଭିଡିଓ ଗ୍ରାଫି କରାଯାଇଥିଲା । ଏହି ସମୟରେ ବିଏମସି, ପୂର୍ବତଟ ରେଳପଥ ଓ ସିବିଆଇ ଅଧିକାରୀଙ୍କ ଉପସ୍ଥିତି ଥିଲେ ।