୧୨ ସହରର ବାୟୁ ମାନ ଚିନ୍ତାଜନକ, ୫ ବର୍ଷରେ ଖର୍ଚ୍ଚ ହେବ ୧୫୦ କୋଟି
ଜାତୀୟ ସ୍ବଚ୍ଛ ବାୟୁ କାର୍ଯ୍ୟକ୍ରମ(ଏନ୍ସିଏପି) ଭଳି ଓଡ଼ିଶାରେ ରାଜ୍ୟ ସ୍ବଚ୍ଛ ବାୟୁ କାର୍ଯ୍ୟକ୍ରମ(ଏସ୍ସିଏପି) ଆରମ୍ଭ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ୧୨ଟି ସହରକୁ ସାମିଲ କରାଯାଇଛି। ଯେଉଁଥିରେ ଅଧିକାଂଶ ଶିଳ୍ପାଞ୍ଚଳ ସହର ରହିଛି। ଝାରସୁଗୁଡ଼ା ସମେତ ବ୍ରଜରାଜନଗର, ବେଲପାହାଡ଼, ବଣେଇ, ରାଜଗାଙ୍ଗପୁର, କେନ୍ଦୁଝର, ଯୋଡ଼ା, ବଡ଼ବିଲ୍, ପୁରୀ, ବ୍ରହ୍ମପୁର ପରି ସହର ରହିଛି।
ପୁରୀ ଓ ବ୍ରହ୍ମପୁର ଶିଳ୍ପ ସହର ହୋଇ ନ ଥିଲେ ମଧ୍ୟ ଏହାର ବାୟୁ ଖରାପ ସ୍ତରରେ ରହୁଛି। ତେଣୁ ସହରଗୁଡ଼ିକର ବାୟୁ ମାନରେ ଉନ୍ନତି ଆଣିବାକୁ ୫ ବର୍ଷିଆ ଯୋଜନା ପ୍ରସ୍ତୁତ ହୋଇଛି। ଏହି ସମୟ ଅବଧିରେ ୧୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯିବ।ଏବେ ରାଜ୍ୟର ୭ଟି ସହର ଯଥା ଭୁବନେଶ୍ବର, କଟକ, ରାଉରକେଲା, ଅନୁଗୁଳ, ତାଳଚେର, ବାଲେଶ୍ବର, କଳିଙ୍ଗନଗରକୁ ଏନ୍ସିଏପିରେ ସାମିଲ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।
ପରିଣାମ ସ୍ବରୂପ ସଦ୍ୟ ପ୍ରକାଶିତ ଏନ୍ସିଏପି ରୢାକିଂରେ ଅନୁଗୁଳ, ତାଳଚେର, ଭୁବନେଶ୍ବର, କଟକ ସହରର ବାୟୁର ଗୁଣାବତ୍ତାରେ ଉନ୍ନତି ଆସିପାରିଛି। ତାହାକୁ ଆଧାର କରି ରାଜ୍ୟ ସରକାର ଏସ୍ପିଏପି କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ପରିବେଶ ଇଞ୍ଜିନିୟର ତଥା ଏସ୍ସିଏପି ଦାୟିତ୍ବରେ ଥିବା ଦିଲ୍ଲୀପ କୁମାର ଦାସ କହିଛନ୍ତି ଯେ ଏନ୍ସିଏପିରେ ୭ଟି ସହର ସାମିଲ ହୋଇଛି।
୨୦୧୯-୨୦ରେ ହାତକୁ ନିଆଯାଇଥିବା ଏହି କାର୍ଯ୍ୟକ୍ରମ ଏବେ ମଧ୍ୟ ଜାରି ରହିଛି। ଓଡ଼ିଶାର ବିଭିନ୍ନ ସହରର ବାୟୁ ଗୁଣବତ୍ତା କେଉଁଠି ଆହ୍ବାନ ସୃଷ୍ଟି କରିଛି ତାହାକୁ ଅନୁଧ୍ୟାନ କରିବା ପରେ ଆଉ ୧୨ଟି ସହରକୁ ଚିହ୍ନଟ କରାଯାଇଥିଲା। ଏହାପରେ ସେଠାରେ ରାଜ୍ୟ ସ୍ବଚ୍ଛ ବାୟୁ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ।
