ଦିଲ୍ଲୀ ପରେ କାଠମାଣ୍ଡୁ ଏୟାରପୋର୍ଟରେ ଯାନ୍ତ୍ରିକ ତ୍ରୁଟି, ସମସ୍ତ ଉଡ଼ାଣ ପ୍ରଭାବିତ
ନୂଆଦିଲ୍ଲୀରେ ବିମାନ ଚଳାଚଳରେ ହୋଇଥିବା ଯାନ୍ତ୍ରିକ ସମସ୍ୟା ପରେ ଏବେ କାଠମାଣ୍ଡୁରେ ମଧ୍ୟ ସାମାନ ଅବସ୍ଥା । ନେପାଳର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନ ବନ୍ଦରର ରନଓ୍ବେ ଲାଇଟରେ ଯାନ୍ତ୍ରିକ ସମସ୍ୟା ପରେ ବିମାନ ଉଡ଼ାଣ ଉପରେ ରୋକ୍ ଲଗାଯାଇଛି । ଏୟାରପୋର୍ଟ ଅଧିକାରୀ କହିଛନ୍ତି, ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଉଡାଣ ବନ୍ଦ ରହିବ ।ଅଧିକାରୀଙ୍କ ମୁତାବକ, ରନଓ୍ବେ ଲାଇଟରେ ଯାନ୍ତ୍ରିକ ସମସ୍ୟା କାରଣରୁ ନେପାଳର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣ ପ୍ରଭାବିତ ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ସବୁ ବିମାନକୁ ଗ୍ରାଉଣ୍ଡ କରି ଦିଆଯାଇଛି । ସମସ୍ୟାର ଯାଞ୍ଚ ଓ ସମାଧାନ ପାଇଁ ଟେକ୍ନିକାଲ ଟିମ୍ ଏୟାରପୋର୍ଟରେ ମୁତୟନ କରାଯାଇଛି । ତୁରନ୍ତ ବିମାନ ଚଳାଚଳ ନେଇ ଚେଷ୍ଟା ଚାଲିଛି ।ଏୟାରପୋର୍ଟର ମୁଖପାତ୍ର ରେନେଜି ଶେର୍ପା କହିଛନ୍ତି, ରନଓ୍ବେର ଏୟାରଫିଲ୍ଡ ଲାଇଟିଂ ସିଷ୍ଟମରେ ସମସ୍ୟା ରହିଛି । ବର୍ତ୍ତମାନ ୫ଟି ବିମାନ ହୋଲ୍ଡରେ ରହିଛି ।ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଟେକ୍ନିକାଲ ସମସ୍ୟା କାରଣରୁ ଉଡ଼ାଣ ଚଳାଚଳରେ ସମସ୍ୟା ହୋଇଥିଲା । ଏହାର ପ୍ରଭାବ ପୁରା ଦେଶର ଏୟାର ଟ୍ରାଫିକ ଉପରେ ପଡିଥିଲା । ଏହାପରେ ଯାଞ୍ଚ କରାଯାଇ ବିମାନ ଚଳାଚଳ ସାମାନ୍ୟ କରାଯାଇଥିଲା ।
