ଭୂମିରେ ବସି ଦିବ୍ୟ ମହାପ୍ରସାଦ ଖାଇବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ
ମହାପ୍ରସାଦ ସେବନକୁ ନେଇ ଶ୍ରୀମନ୍ଦିର ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦିଆଯାଇଛି । ପୁରୀର ଏକ ହୋଟେଲରେ ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ ଦୃଶ୍ୟ ଆସିବା ପରେ ଜଗନ୍ନାଥପ୍ରେମୀଙ୍କ ମନରେ ଦୁଃଖ ପ୍ରକାଶ ପାଇଛି । ଡାଇନିଂ ଟେବୁଲରେ ବସି ମହାପ୍ରସାଦ ସେବନ କରିବାର ଚିତ୍ର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଏହାକୁ ନେଇ ୟୁଜର୍ସମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏହା ପରଂପରା ବିରୋଧୀ କହିବା ସହ ବାରଣ କରାଯାଇଛି । ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ କରିବା ଭଳି ପରଂପରା ବିରୋଧୀ କାର୍ଯ୍ୟରୁ ବିରତ ରହିବାକୁ ସମସ୍ତ ଭକ୍ତସମାଜକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ବିନମ୍ର ନିବେଦନ କରାଯାଉଛି । ହୋଟେଲଗୁଡ଼ିକ ମଧ୍ୟ ଏଥିପାଇଁ ଦୃଷ୍ଟି ଦେବା ସହ ନିଜ ଅତିଥିମାନଙ୍କୁ ଏଭଳି କାର୍ଯ୍ୟରୁ ବିରତ ରହିବାକୁ ସଚେତନ କରିବାକୁ ଅନୁରୋଧ କରାଯାଇଛି । ସୂଚନାଯୋଗ୍ୟ, ଶ୍ରୀମନ୍ଦିରରେ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରି ଆନନ୍ଦ ବଜାରରେ ମହାପ୍ରସାଦ ଖାଇ ଅପୂର୍ବ ସୌଭାଗ୍ୟ ଲାଭ କରିଥାନ୍ତି । ଏପରି ଦୃଶ୍ୟ ଆଉ କେଉଁଠି ଦେଖିବାକୁ ମିଳେ ନାହିଁ । ତେବେ ମହାପ୍ରସାଦର ମହାତ୍ମ୍ୟକୁ କିଛି ଲୋକ ବୁଝି ନ ପାରି ହୋଟେଲ ଟେବୁଲରେ ଖାଇ ମହାପ୍ରସାଦର ଅବମାନନା କରିଥାନ୍ତି ।
