ଅଣସେବାୟତ ରଥ ଉପରେ ଚଢିଲେ ଗିରଫ ହେବେ
ରଥଯାତ୍ରା ଶୃଙ୍ଖଳିତ କରିବାକୁ ସରକାରଙ୍କ ଆକ୍ସନ ପ୍ଲାନ୍ । ଚଳିତ ରଥଯାତ୍ରା ଶୃଙ୍ଖଳିତ କରିବାକୁ ସଂସ୍କାରମୂଳକ ପଦକ୍ଷେପ କଠୋର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଅଣସେବାୟତ ରଥ ଉପରେ ଚଢିଲେ ଗିରଫ ହେବେ । ରଥ ଉପରେ ସେବାୟତ ମାନେ ମୋବାଇଲ ବ୍ୟବହାର କରିପାରିବେନି । ପହଣ୍ଡିରେ କେଉଁ କେଉଁ ସେବାୟତ ରହିବେ ସେମାନଙ୍କ ତାଲିକା ପ୍ରସ୍ତୁତ ହେବ । ଘଣ୍ଟୁଆ ସେବାୟତ ମାନଙ୍କ ତାଲିକା ବି ପ୍ରସ୍ତୁତ ହେବ । ଏନେଇ ନିଯୋଗ ଗୁଡ଼ିକ ତାଲିକା ପାଇଁ ସେବାୟତଙ୍କ ନାଁ ଦେବେ । ଛତିଶା ନିଯୋଗ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ସେହିପରି ରଥଯାତ୍ରା ସମୟରେ ରଥ ଉପରେ ମୋବାଇଲ୍ ବ୍ୟବହାର ମନା । ଗତକାଲି ଦଇତାପତି ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଯଦି କେହି ଅଣସେବାୟତ ଚିହ୍ନଟ ହୁଅନ୍ତି, ତେବେ ସେମାନଙ୍କ ବିରୋଧରେ ଏତଲା ଦିଆଯିବ । ଏପରିକି ଫୌଜଦାରୀ ମକଦ୍ଦମା ରୁଜୁ କରାଯିବ । ଗତବର୍ଷ ରଥ ଉପରକୁ ମୋବାଇଲ୍ ନେଇ କଟକଣା ଥିଲା । ଏହାସତ୍ତ୍ୱେ କିଛି ସେବାୟତ ରଥ ଉପରକୁ ମୋବାଇଲ୍ ନେଇଥିଲେ । ତେଣୁ ଏଥର ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି କିଭଳି କାର୍ଯ୍ୟକାରୀ ହେଉଛି, ତାକୁ ନେଇ ଉଠିଛି ପ୍ରଶ୍ନଚିହ୍ନ ।
