ଭୁବନେଶ୍ୱର ନୟାପଲ୍ଲୀରେ ମର୍ମନ୍ତୁଦ ଦୁର୍ଘଟଣା

ଡମ୍ପରକୁ ପଛରୁ ଧକ୍କା ଦେଲା ସ୍ପିଡ୍‌ ବାଇକ୍‌

ଭୁବନେଶ୍ୱର ନୟାପଲ୍ଲୀରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଗାପୂଜା ମଣ୍ଡପ ସାମ୍ନାରେ ଡମ୍ପରକୁ ପଛରୁ ଧକ୍କା ଦେଲା ସ୍ପିଡ୍‌ ବାଇକ୍‌ । ଦ୍ରୁତ ଗତିରେ ଗାଡ଼ି ଚଳାଇବା ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ ସହ ଡମ୍ପର ପଛପଟେ ପଶିଯାଇଥିଲେ ଚାଳକ । ଏହାପରେ ଗୁରୁତର ଅବସ୍ଥାରେ ଆହତ ଚାଳକଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍‌ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଛି । ତେବେ ଦୁର୍ଘଟଣାରେ ଆହତ ହୋଇଥିବା ଚାଳକଙ୍କ ପରିଚୟ ମିଳିପାରିନାହିଁ । ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ଘଟିଥିବା ଏହି ଦୁର୍ଘଟଣା ଦେଖିବାକୁ ଓଭରବ୍ରିଜ୍ ଉପରେ ଭିଡ଼ ଜମିଥିଲା । ଜୟଦେବ ବିହାର ଓ ଇସ୍କନ ମନ୍ଦିର ମଝିରେ ଘଟିଛି ଏଭଳି ଦୁର୍ଘଟଣା । ଓଭରବ୍ରିଜ୍ ଉପରେ ଦୁର୍ଘଟଣା ଯୋଗୁଁ ଟ୍ରାଫିକ୍ ଜାମ୍ ପରସ୍ଥିତି ସୃଷ୍ଟି ହୋଇଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ୍ କ୍ଲିୟର କରିଛି କମିଶନରେଟ୍ ପୋଲିସ ।