କୋର୍ଟରୁ ଫେରିବା ବେଳେ ଅପହରଣ, ପରେ ହତ୍ୟା !

ପୁଣି ଅଶାନ୍ତ ହୋଇପଡ଼ିଛି ଗଞ୍ଜାମ !

ଜଘନ୍ୟ ବିଭତ୍ସ ଅମାନୁଷିକତାର ନୂଆ ଅଧ୍ୟାୟ। ଦିନକୁ ଦିନ ଅଶାନ୍ତ ହୋଇପଡିଛି ଗଞ୍ଜାମ । ପୋଲିସ ଆଖିରେ ଧୂଳି ଦେଇ ଅପରାଧର ନୂଆ କାହାଣୀ ଲେଖୁଛି ଅପରାଧୀ । ଯାହା ଏବେ ଗଞ୍ଜାମ ପୋଲିସ ପାଇଁ ସାଜିଛି ବଡ଼ ଚ୍ୟାଲେଞ୍ଜ। ହତ୍ୟା ଅପହରଣ ଲୁଟ୍ କଳାବଜାରୀ ପରି ଅପରାଧ ଗଞ୍ଜାମ ସହରେ ଏବେ ନିତିଦିନିଆ ହୋଇଥିବା ବେଳେ ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଗତକାଲି ସଂଧ୍ୟାରେ ପୁଣି ଜଣେ ଯୁବକଙ୍କୁ ଅପହୃତ ପରେ ହତ୍ୟା କରାଯାଇଛି ଯାହା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସୂଚନା ଅନୁସାରେ କବିସୂର୍ଯ୍ୟନଗର କେ. ଖରିଡ଼ା ଗାଁର ପଞ୍ଚାନନ ପାତ୍ରଙ୍କ ବଡ଼ ପୁଅ ଦିପୁ ପାତ୍ରଙ୍କୁ କିଛି ଦୁର୍ବୁତ୍ତ ଅପହରଣ କରିନେଇଥିବା ନେଇ କୋଦଳା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଶୁକ୍ରବାର ପୂର୍ବାହ୍ନ ସମୟରେ ଦିପୁ ପାତ୍ର ୨୦୨୦ ମସିହାର ଏକ ମାମଲାରେ କୋଦଳା କୋର୍ଟ ହଜାର ହେବାକୁ ଆସିଥିଲେ। କୋର୍ଟ କାମ ସାରି ଘରକୁ ଫେରୁଥିବା ବେଳେ ବାଟରେ କିଛି ଦୁର୍ବୁତ୍ତ ଦିପୁକୁ ଅପହରଣ କରି ନେଇଥିବା ଶୁକ୍ରବାର କୋଦଳା ଥାନାରେ ପରିବାର ତରଫରୁ ଅଭିଯୋଗ ହୋଇଥିଲା । ଶନିବାର ସନ୍ଧ୍ୟାରେ ଅପହରଣ ଦିପୁ ପାତ୍ରଙ୍କ ମା ଓ ସାନ ଭାଇ ଗଞ୍ଜାମ ଏସପିଙ୍କୁ ଭେଟି ପୁଅକୁ କିଛି ଦୁର୍ବୁତ୍ତ ଅପହରଣ କରି ନେଇଥିବା ଗୁହାରି ମଧ୍ୟ କରିଥିଲେ। ଖାଲି ଅପହରଣ ନୁହେଁ ବରଂ ପୁଅକୁ ଜଙ୍ଗଲରେ ରଖି ମାଡ଼ ମାରିଥିବାର ଭିଡିଓ ଭାଇରାଲ୍ ହୋଇଥିବା ପୋଲିସକୁ କହିଥିଲେ।

ଖୁବଶୀଘ୍ର ଦିପୁକୁ ଉଦ୍ଧାର କରାଯିବା ବୋଲି ଏସପି ପ୍ରତିଶ୍ରୁତି ଦେଇଥିଲେ । ହେଲେ ରବିବାର ମିଳିଲା ଦିପୁର ଗଳିତ ମୃତଦେହ । ପୋଲିସ ଅବହେଳା ଯୋଗୁଁ ଏପରି ହୋଇଥିବା ପରିବାର ଅଭିଯୋଗ ଆଣିଥିବା ବେଳେ ଘଟଣାର ତଦନ୍ତ କରି ଖୁବଶିଘ୍ର ହତ୍ୟାକାରୀ ଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଗଞ୍ଜାମ ଏସପି ।ପୋଲିସ ଡାଳେ ଡାଳେ ଗଲେ ଅପରାଧୀ ଯାଉଛନ୍ତି ପତ୍ରେ। ଏହି ଘଟଣା ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଥିବା ବେଳେ ହତ୍ୟାକାରୀକୁ ଧରିବା ଗଞ୍ଜାମ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ।