୧୮ ବିଧାୟକଙ୍କ ଟିକେଟ କାଟିଲା ଆପ୍‌

କଟିଲା ୧୮ ବିଧାୟକଙ୍କ ଟିକେଟ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଆମ୍‌ ଆଦ୍‌ମୀ ପାର୍ଟି। ଦ୍ୱିତୀୟ ପର୍ଯ୍ୟାୟରେ ଦଳ ୧୮ ଜଣ ବିଧାୟକଙ୍କର ଟିକେଟ କାଟିଥିବାବେଳେ ୨ ଜଣ ବିଧାୟକଙ୍କର ଆସନ ବଦଳାଇଛି। ଏହି ତାଲିକାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଆସନ ବଦଳାଇଛି। ପଟପଡ଼ଗଞ୍ଜ ଆସନରୁ ବିଧାୟକ ଥିବା ସିସୋଡିଆଙ୍କୁ ଚଳିତ ଥର ଜଙ୍ଗପୁରା ଆସନରୁ ଦଳ ପ୍ରାର୍ଥୀ କରିଛି। ସେ ପଟପଡ଼ଗଞ୍ଜ ଆସନରୁ ୨୦୧୩,୨୦୧୫ ଏବଂ ୨୦୨୦ରେ ଲଗାତର ୩ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ମଙ୍ଗୋଲପୁରୀରୁ ବିଧାୟକ ଥିବା ଦିଲ୍ଲୀ ବିଧାନସଭାର ଉପବାଚସ୍ପତି ରାକ୍ଷୀ ବିଡ୍‌ଲାଁଙ୍କୁ ଦଳ ମାଦିପୁର ଆସନରୁ ପ୍ରାର୍ଥୀ କରିଛି। ନିକଟରେ ଆପ୍‌ରେ ସାମିଲ ହୋଇଥିବା ଚର୍ଚ୍ଚିତ ୟୁପିଏସ୍‌ସି ଶିକ୍ଷକ ଅଓ୍ବଧ ଓଝାଙ୍କୁ ଦଳ ପଟପଡ଼ଗଞ୍ଜ ଆସନରୁ ପ୍ରାର୍ଥୀ କରିଛି। ଭାଜପା ଏବଂ କଂଗ୍ରେସ ଛାଡ଼ି ଆପ୍‌ରେ ଯୋଗଦେଇଥିବା ଅନେକ ନେତାଙ୍କୁ ଏହି ତାଲିକାରେ ସୁଯୋଗ ମିଳିଛି। ପ୍ରଥମ ପର୍ଯ୍ୟାୟରେ ଆପ୍‌ ୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ଏହାସହ ବର୍ତ୍ତମାନ ସୁଦ୍ଧା ଦଳ ୩୧ ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ତେବେ ଏବେଯାଏଁ ଭାଜପା ଏବଂ କଂଗ୍ରେସ ପକ୍ଷରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ପ୍ରକାଶ ଯେ, ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ଆସନ୍ତା ଫେବୃଆରୀରେ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *