ସୁନ୍ଦରଗଡକୁ ସ୍କ୍ରବଟାଫସ୍ ଭୟ

କରୋନା ଭଳି ମାଡୁଛି ସ୍କ୍ରବଟାଇଫସ୍

କରୋନା ପରେ ଏବେ ସୁନ୍ଦରଗଡକୁ ଘାରିଛି ସ୍କ୍ରବଟାଇଫସ ଭୟ । ଲଗାତାର ଦିନକୁ ଦିନ ଏଭି ରୋଗ ମାଡିଚାଲିଛି । ଏଥିରେ ବ୍ରେକ୍ ଲଗାଇବା ପାଇଁ କୌଣସି ଉପାୟ ପାଉନାହାନ୍ତି ସୁନ୍ଦରଗଡବାସୀ । ୨୪ ଘଣ୍ଟାରେ ପୁଣି ୯ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ । ୩୪ ରକ୍ତ ନମୁନାରୁ ୯ ପଜିଟିଭ ଚିହ୍ନଟ। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୪ରେ ପହଞ୍ଚିଲା । ଏନେଇ ସୂଚନା ଦେଇଛନ୍ତି ଭାରାପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର  କାହ୍ନୁଚରଣ ନାୟକ। ଗତ ଜାନୁ୍ଆରି ମାସରୁ ଆଜିର ତାରିଖ ଯାଏ ୩୦୪ ଜଣ ସ୍କ୍ରବ୍‌ ଟାଇଫସ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ବଡ଼ଗାଁ ଅଞ୍ଚଳର ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଅନ୍ୟ ସମସ୍ତ ଆକ୍ରାନ୍ତ ସୁସ୍ଥ ଥିବା ସ୍ବାସ୍ଥ୍ୟ ବିଭଗ ସୂଚନା ଦିଆଯାଇଛି । ଜିଲ୍ଲାର ସଦର ବ୍ଲକ୍‌ ମଝାପଡ଼ା ଓ ବାଲିଶଙ୍କରା ବ୍ଲକରୁ ଅଧିକ ରୋଗୀ ଚିହ୍ନଟ ହୋଇଥିଲେ । ଏହି ରୋଗ କୀଟ ଦଂଶନରୁ ହେଉଥିବାରୁ ଜଙ୍ଗଲ ତଥା ବିଲବାଡ଼ିକୁ ଯିବା ସମୟରେ ସମ୍ପୂର୍ଣ ଶରୀରକୁ ଘୋଡ଼ାଇ ରଖିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ଔଷଧ, ପରୀକ୍ଷା ବ୍ୟବସ୍ଥା ରହିଥିବା ସୂଚନା ଦେଇଛନ୍ତି ଭାରପ୍ରାପ୍ତ ସିଡିଏମଓ ଡ. କାହ୍ନୁଚରଣ ନାୟକ। ସେପଟେ ସ୍ବାସ୍ଥ୍ୟ ବିଭାଗର ସଚେତନତା  ଲୋକଙ୍କ ପାଖରେ ପହଞ୍ଚି ପାରୁନଥିବା ଅଭିଯୋଗ ରହିଛି।