ନିଜେ ଚାଲିଗଲେ ହେଲେ ଅନେକ ଜୀବନ ବଂଚାଇଦେଇ ଗଲେ

ଅଙ୍ଗଦାନ କରି ଅମର ହେଲା କୁନି ପୁଅ ସୁବୋଜିତ

ନିଜେ ଚାଲିଗଲେ ହେଲେ ଅନେକ ଜୀବନ ବଂଚାଇଦେଇ ଗଲେ । ଅଙ୍ଗଦାନ କରି ଅମର ହେଲା କୁନି ପୁଅ । ଅଙ୍ଗଦାନ କରି ଅମର ହୋଇଗଲା ୮ ବର୍ଷର ସୁବୋଜିତ । ପୁଅର ମୃତ୍ୟୁ ପରେ ଶରୀର ଦାନ କଲେ ପରିବାର ଲୋକେ । ଭୁବନେଶ୍ୱର କଳ୍ପନା ଅଞ୍ଚଳର ତୃତୀୟ ଶ୍ରେଣୀ ଛାତ୍ର ସୁବୋଜିତ ମସ୍ତିଷ୍କ ରୋଗରେ ପୀଡ଼ିତ ହୋଇ ତିନି ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ତାଙ୍କର ବ୍ରେନ୍ ଡେଡ୍ ଘୋଷଣା ହେବା ପରେ ପରିବା ଲୋକ ପୁଅର ଅଙ୍ଗଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହା ପରେ ଅଙ୍ଗଦାନ ସମିତି ସହ ଯୋଗାଯୋଗ କରାଯାଇଥିଲା । ପରେ ଆପୋଲୋ ହସ୍ପିଟାଲରେ ଅଙ୍ଗଦାନ କରାଯାଇଛି । ଏବେ ୮ ଜଣଙ୍କ ଦେହରେ ୮ ବର୍ଷର ଶୁଭୋଜିତ ସାହୁ ରହିବ।

ଭୁବନେଶ୍ଵର କଳ୍ପନା ଅଞ୍ଚଳର ବିଶ୍ୱଜିତ୍ ସାହୁଙ୍କ ପୁଅ ହେଉଛନ୍ତି ଶୁଭୋଜିତ। ବୟସ ୮ ବର୍ଷ ହେବ। ବିଜେବି ଇଲିଂଶ ମିଡ଼ିୟମ୍‌ ସ୍କୁଲରେ ପାଠ ପଢ଼ୁଥିଲେ। ଗତ ବୁଧବାର ଦିନ ପରୀକ୍ଷା ଥିବାରୁ ବାପା ଓ ମାଆଙ୍କ ଭୂମିଷ୍ଟ ପ୍ରଣାମ କରି ଘରୁ ବାହାରିଥିଲେ। ସେତେବେଳେ ବେଶ୍‌ ଉତ୍ସାହିତ ଥିଲେ। ଖୁସି ମନରେ ପରୀକ୍ଷା ଦେବା ପାଇଁ ସ୍କୁଲ୍‌ ଯାଇଥିଲେ। ସ୍କୁଲରେ ପ୍ରାର୍ଥନା ସରିବା ପରେ ପରୀକ୍ଷା ହଲ୍‌ରେ ବସିଥିଲେ ଶୁଭୋଜିତ। ପରୀକ୍ଷା ଆରମ୍ଭ ହୋଇଥିଲା। ପାଖ ସିଟ୍‌ରେ ବସିଥିବା ବନ୍ଧୁଙ୍କ ସହିତ କଥା ହେଉଥିବା ବେଳେ ହଠାତ୍‌ ଚେତା ହରାଇ ତଳେ ପଡ଼ିଗଲେ ଶୁଭୋଜିତ। ପରୀକ୍ଷା ହଲ୍‌ରେ ଥିବା ମାଡ଼ାମ ଓ ଅନ୍ୟମାନେ ତାଙ୍କୁ ଉଦ୍ଧାର କରି ଶିଶୁ ଭବନରେ ଭର୍ତ୍ତି କରିଥିଲେ। ଏଥିସହ ପରିବାରକୁ ଖବର ଦେଇଥିଲେ ସ୍କୁଲ୍‌ କର୍ତ୍ତୃପକ୍ଷ। ଘରେ ବିଶ୍ୱଜିତ ନଥିବାରୁ ଶ୍ୱଶୁରଙ୍କୁ ସାଥୀରେ ଧରି ମେଡ଼ିକାଲ୍‌ ଯାଇଥିଲେ ଶୁଭୋଜିତଙ୍କ ମାଆ।

ସେପଟେ ଶିଶୁ ଭବନରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଶୁଭୋଜିତଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା। ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିବାରୁ ଆଇସିୟୁ ଦରକାର ପଡ଼ିଥିଲା। ସେତେବେଳେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଆଇସିୟୁ ଖାଲି ନଥିଲା। ତେଣୁ ପରିବାର ଲୋକେ ଛୁଆକୁ ଧରି ଏକ ପ୍ରାଇଭେଟ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ଆଇସିୟୁରେ ଚିକିତ୍ସା କରାଯାଇଥିଲା। ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ଘଟିଥିଲା। ଚିକିତ୍ସା କରୁଥିବା ଡାକ୍ତର ଓ ପରିବାର ଭାବିଥିଲେ ସବୁକିଛି ଠିକ୍‌ ହୋଇଯିବ।

ଚିକିତ୍ସା ପରେ ଶୁଭୋଜିତଙ୍କ ହାର୍ଟ, ଲଗ୍ସ ପ୍ରମୁଖ ଆକ୍ଟିଭ୍‌ ହେଲା। କିନ୍ତୁ ବ୍ରେନ୍‌ ରେସ୍‌ପଣ୍ଡ କଲାନାହିଁ। ଶେଷରେ ଗୁରୁବାର ଦିନ ଡାକ୍ତର ବ୍ରେନ୍‌ ଡେଡ୍‌ ବୋଲି ଘୋଷଣା କଲେ। ଡାକ୍ତରଙ୍କଠାରୁ ନିରାଶାର ବାଣୀ ଶୁଣିବା ପରେ ପରିବାର ଲୋକ ନେଲେ ବଡ଼ ନିଷ୍ପତ୍ତି। ପୁଅର ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏନେଇ ମେଡ଼ିକାଲ୍‌ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ରାଜ୍ୟ ସରକାର ପ୍ରୋଟୋକଲ୍‌ ଅନୁସାରେ କରାଯାଇଥିଲା ଶୁଭୋଜିତଙ୍କ ଅପରେଶନ୍‌। ତାଙ୍କ ଶରୀରରୁ କିଡନୀ, ଆଖି, ପାନକ୍ରିୟସ୍‌, ଲିଭର ପ୍ରମୁଖ ପୃଥକ୍‌ କରାଯାଇଥିଲା। ପରେ ଶୁଭୋଜିତଙ୍କ ସବୁ ଅଙ୍ଗକୁ ଗ୍ରୀନ୍‌ କରିଡରରେ ଏୟାରପୋର୍ଟ ନିଆଯାଇଥିଲା। ସେଠାରୁ ଅନ୍ୟ ରାଜ୍ୟକୁ ନିଆଯାଇଥିବା ଜଣାପଡ଼ିଛି।