ଲୋକସଭାରୁ କଂଗ୍ରେସର ୮ ଜଣ ସାଂସଦ ନିଲମ୍ବିତ

ଲୋକସଭାରୁ କଂଗ୍ରେସର ୮ ଜଣ ସାଂସଦ ନିଲମ୍ବିତ

ଲୋକସଭାରୁ କଂଗ୍ରେସର ୮ ଜଣ ସାଂସଦ ନିଲମ୍ବିତ । ଲୋକସଭାରେ ହଟ୍ଟଗୋଳ ଏବଂ ଅଶୋଭନୀୟ ଆଚରଣ ପାଇଁ କଂଗ୍ରେସର ୮ ଜଣ ସାଂସଦଙ୍କୁ ବଜେଟ୍ ଅଧିବେଶନର ବାକି ଦିନଗୁଡ଼ିକ ପାଇଁ ନିଲମ୍ବିତ କରାଯାଇଛି । ହଟ୍ଟଗୋଳ ଏବଂ ବାଚସ୍ପତିଙ୍କ ନିର୍ଦ୍ଦେଶ ଅବମାନନା କରିବା ଅଭିଯୋଗରେ ହିବି ଏଡେନ, ଅମରିନ୍ଦର ସିଂହ ରାଜା ୱାରିଙ୍ଗ, ମଣିକମ ଟାଗୋର, ଗୁରଜିତ ସିଂହ, କିରଣ କୁମାର ରେଡ୍ଡୀ ନିଲମ୍ବିତ ହୋଇଛନ୍ତି । ଏହାସହ ଏସ୍ ଭେଙ୍କଟେସନ, ପ୍ରଶାନ୍ତ ପାଡୋଲ ଓ ଡିନ କୁରିଆକୋସ ମଧ୍ୟ ନିଲମ୍ବିତ ହୋଇଛନ୍ତି ।ପୂର୍ବତନ ସେନା ମୁଖ୍ୟ ଜେନେରାଲ ଏମ୍.ଏମ୍. ନରୱାଣେଙ୍କ ଏକ ଅପ୍ରକାଶିତ ବହିକୁ ନେଇ ସୃଷ୍ଟି ହୋଇଥିବା ବିବାଦ କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଜେନେରାଲ ନରୱାଣେଙ୍କ ଅପ୍ରକାଶିତ ବହି ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’କୁ ବିବାଦ ଉପୁଜିଛି । ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର କିଛି ଅଂଶକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଏହି ବହିରେ ୨୦୨୦ର ଭାରତ-ଚୀନ୍ ସୀମା ବିବାଦ ବିଷୟରେ ଉଲ୍ଲେଖ ରହିଛି । ତେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ବିରୋଧ କରିଥିଲେ । ଯେଉଁ ବହି ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ କିମ୍ବା ଯାହାର ସତ୍ୟତା ପ୍ରମାଣିତ ହୋଇନାହିଁ, ତାହାକୁ ସଂସଦରେ ଉଦ୍ଧୃତ କରିବା ନିୟମ ବିରୁଦ୍ଧ ବୋଲି କହିଥିଲେ। ବାଚସ୍ପତି ଓମ୍ ବିର୍ଲା ଏହି ବିଷୟରେ ଆଲୋଚନା ନକରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କଂଗ୍ରେସ ସାଂସଦମାନେ ହଟ୍ଟଗୋଳ ଜାରି ରଖିଥିଲେ । ସୀମା ସୁରକ୍ଷା ଓ ସେନା ସମ୍ବନ୍ଧୀୟ ସମ୍ବେଦନଶୀଳ ତଥ୍ୟକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଯୋଗୁଁ ସଂସଦରେ ଅଚଳାବସ୍ଥା ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *