ତୃତୀୟ ପର୍ୟ୍ୟାୟରେ ୭୧% ମତଦାନ

ତୃତୀୟ ପର୍ୟ୍ୟାୟରେ ୭୧ ପ୍ରତିଶତ ମତଦାନ

ସରିଲା ତୃତୀୟ ପର୍ୟ୍ୟାୟ ନିର୍ବାଚନ, ଇଭିଏମରେ ସିଲ୍ ହେଲା ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ । ଭୋଟ ଦେଲେ କଟକ, ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ପୁରୀ, ଭୁବନେଶ୍ୱରବାସୀ । ୬ ସଂସଦୀୟ କ୍ଷେତ୍ର ଓ ଏହା ଅଧିନସ୍ଥ ସମସ୍ତ ୪୨ଟି ବିଧାନସଭା କ୍ଷେତ୍ରରେ ମତଦାନ ଶେଷ ହୋଇଛି । ତୃତୀୟ ପର୍ୟ୍ୟାୟରେ ମୋଟ ୭୧ ପ୍ରତିଶତ ମତଦାନ ହୋଇଛି । ସମ୍ବଲପୁରରେ ସର୍ବାଧିକ ୭୬.୬୩ ପ୍ରତିଶତ ମତଦାନ ହୋଇଥିବା ବେଳେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୬୨ ପ୍ରତିଶତ ମତଦାନ ହୋଇଛି । ଭୁବନେଶ୍ୱର ଉତରରେ ସବୁଠୁ କମ୍ ୫୧ ପ୍ରତିଶତ ଓ ଭୁବନେଶ୍ୱର ମଧ୍ୟରେ ୫୧.୧୯ ପ୍ରତିଶତ ମତଦାନ ହୋଇଥିବା ସୂଚନା । ସେହିଭଳି କଟକରେ ୬୭.୩୬%, ଢେଙ୍କାନାଳରେ ୭୩.୬୯%, କେନ୍ଦୁଝରରେ ୭୩.୩୦ ଏବଂ ପୁରୀରେ ୭୩.୮୧ ପ୍ରତିଶତ ମତଦାନ ହୋଇଛି । ସେହିପରି ବିଧାନସଭା ଆସନ ଗୁଡିକ ମଧ୍ୟରେ ଅନୁଗୁଳ ଆଠମଲ୍ଲିକରେ ସର୍ବାଧିକ ୮୫.୪୨ ପ୍ରତିଶତ ଭୋଟି ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ଅପେକ୍ଷା ୨ ପ୍ରତିଶତ କମ ମତଦାନ ହୋଇଛି ।

ତୃତୀୟ ପାଳି ଭୋଟ୍ ବେଳେ ଗୋଷ୍ଠୀ ସଂଘର୍ଷ ସହ ଅବ୍ୟବସ୍ଥାର ମାଳ ମାଳ ଚିତ୍ର, ଶୃଙ୍ଖଳିତ ନିର୍ବାଚନ ଆଡ଼କୁ ଅଙ୍ଗୁଳି ଉଠାଇଛି । କେଉଁଠି ମନ୍ତ୍ରୀଙ୍କ ଉପସ୍ଥିତିରେ ମାରପିଟ୍ ହୋଇଛି ତ ଆଉ କେଉଁଠି ଶାସକ ବିଧାୟକଙ୍କ ଦାଦାଗିରି ସବୁ ସୀମା ଟପିଯାଇଛି । ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ । ଅନେକ ସ୍ଥାନରେ ଇଭିଏମ ଅଚଳର ଚିତ୍ର ମଧ୍ୟ ସାମନାକୁ ଆସିଛି । ଏଭଳି ଅନେକ ଅବ୍ୟବସ୍ଥା ଓ ହିଂସାକୁ ଗୁରୁତ୍ୱର ସହ ନେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ତୃତୀୟ ପର୍ୟ୍ୟାୟ ମତଦାନ ବେଳେ ୮ଟି ବୁଥରେ ଋଠଗ ତ୍ରୁଟି ସାମ୍ନାକୁ ଆସିଥିବା ସିଇଓ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଯେଉଁଠି ଅପ୍ରୀତିକର ପରିସ୍ଥିତି ଘଟିଛି, ସେସବୁ ସ୍ଥାନର ଭିଡ଼ିଓକୁ ଯାଞ୍ଚ କରିବା ସହ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସିଇଓ କହିଛନ୍ତି ।ଏସବୁ ଭିତରେ ଡ୍ୟୁଟିବେଳେ ପୋଲିଂ କର୍ମଚାରୀଙ୍କ ମୃତାହତ ଖବର ବି ଆସିଛି । ଢେଙ୍କାନାଳ ହିନ୍ଦୋଳ ବାହାଲୁଣ୍ଡାରେ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ହୋଇଥିବାବେଳେ ବାଙ୍କୀ ବଳଭଦ୍ରପୁରରେ ଓ ନୟାଗଡ଼ ମାଛିପଡାରେ ପ୍ରିଜାଇଡିଂ ଅଫିସର ଅସୁସ୍ଥ ହୋଇପଡ଼ିବାରୁ ପ୍ରଭାବିତ ହୋଇଥିଲା ମତଦାନ ।