ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀ ଜଗିବେ ୭୦ ପ୍ଲାଟୁନ୍ ଫୋର୍ସ
ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ନେଇ ସୁରକ୍ଷା ବୈଠକ ଆଜି ବସିଥିଲା । କେନ୍ଦ୍ରାଞ୍ଚଳ ଆଇଜିଙ୍କ ଅଧ୍ୟକ୍ଷତାରେ ବସିଥିଲା ସୁରକ୍ଷା ବୈଠକ । ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀ ଜଗିବେ ୭୦ ପ୍ଲାଟୁନ୍ ଫୋର୍ସ । ୪ ଏସପି ର୍ୟାଙ୍କ କମାଣ୍ଡାଣ୍ଟଙ୍କ ସହ ୪୫୦ ଅଧିକାରୀ ରହିବେ । ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ୍ ବ୍ୟବସ୍ଥା ଉପରେ ପ୍ରଶାସନର ଫୋକସ୍ । ବର୍ତ୍ତମାନଠାରୁ ରଥଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ୧୧ ତାରିଖରେ କାଳିଆ ଠାକୁରଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହେବାକୁ ଅଛି । ତା’ ପୂର୍ବରୁ ସଠିକ ବ୍ୟବସ୍ଥା କରିଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ ।
