ଭାରତ-ଶ୍ରୀଲଙ୍କା ସଂପର୍କରେ ଏକ ନୂଆ ଅଧ୍ୟାୟ ଆରମ୍ଭ

ଭାରତ-ଶ୍ରୀଲଙ୍କା ମଧ୍ୟରେ ୭ଟି ବୁଝାମଣାପତ୍ର ସ୍ବାକ୍ଷର

ଭାରତ-ଶ୍ରୀଲଙ୍କା ସଂପର୍କରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଶ୍ରୀଲଙ୍କା ମାଟିକୁ ଭାରତ ବିରୋଧରେ ବ୍ୟବହାର ପାଇଁ  କଦାପି ସୁଯୋଗ ଦିଆଯିବନାହିଁ ବୋଲି ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେ ଆଜି କଲୋମ୍ବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି।   ଭାରତ ମହାସାଗର ଅଞ୍ଚଳରେ ଚୀନ୍‌ର ପ୍ରଭାବ ବିସ୍ତାରକୁ ନେଇ ଉଦ୍‌ବେଗ ପ୍ରକାଶ ପାଇବା ପରେ ପ୍ରତିରକ୍ଷା, ଶକ୍ତି, ଡିଜିଟାଲ୍ ଭିତ୍ତିଭୂମି, ସ୍ୱାସ୍ଥ୍ୟ ଓ ବାଣିଜ୍ୟ କ୍ଷେତ୍ରରେ ଉଭୟ ଦେଶ ୭ଟି ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି।  ଗତବର୍ଷ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଶ୍ରୀଲଙ୍କା ଗସ୍ତ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଏପରି ଏକ ସମୟରେ ଆସିଛି ଯେତେବେଳେ ତାମିଲନାଡୁ ଶ୍ରୀଲଙ୍କାରୁ କଚ୍ଚାତିଭୁକୁ ଫେରାଇ ଆଣିବା ପାଇଁ ଏକ ସଂକଳ୍ପ ପାରିତ କରିଛି। ୨୮୫ ଏକର ପରିମିତ ଦ୍ୱୀପରେ ମାଛଧରା ଅଧିକାରକୁ ନେଇ ଦୀର୍ଘ ଦିନ ଧରି ବିବାଦ ଯୋଗୁଁ ତାମିଲନାଡ଼ୁର ମତ୍ସ୍ୟଜୀବୀମାନଙ୍କ ପାଇଁ  ଏହା ଏକ ଭାବପ୍ରବଣ ପ୍ରସଙ୍ଗ। ଶ୍ରୀଲଙ୍କାବାସୀଙ୍କ ଦୃଢ଼ତାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଶ୍ରୀଲଙ୍କା ପୁନରୁଦ୍ଧାର ପଥରେ ଥିବାରୁ ମୁଁ ଗର୍ବିତ। ଆମେ ସବୁବେଳେ ଶ୍ରୀଲଙ୍କା ସହ ଛିଡ଼ା ହୋଇଛୁ- ତାହା କୋଭିଡ୍ ସମୟରେ ହେଉ କିମ୍ବା ଆତଙ୍କବାଦୀ ଆକ୍ରମଣ କିମ୍ବା ସାମ୍ପ୍ରତିକ ଅର୍ଥନୈତିକ ସଙ୍କଟ ସମୟରେ ହେଉ।

ତାମିଲନାଡୁର ଅନେକ ମତ୍ସ୍ୟଜୀବୀଙ୍କୁ ଆଶ୍ୱସ୍ତି ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ମଧ୍ୟ ସେମାନଙ୍କ ପ୍ରସଙ୍ଗ ଉଠାଇଛନ୍ତି ଏବଂ ଭାରତୀୟ ମତ୍ସ୍ୟଜୀବୀଙ୍କୁ ତୁରନ୍ତ ମୁକ୍ତ କରିବା ତଥା ସେମାନଙ୍କ ଡଙ୍ଗାଗୁଡ଼ିକୁ ତୁରନ୍ତ ଫେରାଇ ଦେବାକୁ ଶ୍ରୀଲଙ୍କା ରାଜି ହୋଇଛି। ମତ୍ସ୍ୟଜୀବୀଙ୍କ ଜୀବିକା ସମ୍ବନ୍ଧୀୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି। ଏହି ମାମଲାର ସମାଧାନ ପାଇଁ ମାନବୀୟ ଆଭିମୁଖ୍ୟ ଗ୍ରହଣ କରିବାର ଆବଶ୍ୟକତା ଉପରେ ଉଭୟ ପକ୍ଷ ସହମତ ହୋଇଥିଲେ।   ତିନି ଦଶନ୍ଧି ପୂର୍ବରୁ ଭାରତୀୟ ଶାନ୍ତିରକ୍ଷା ମିସନ ପ୍ରତ୍ୟାହାର କରିବାକୁ ବାଧ୍ୟ ହେବା ପରେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛି ଯାହା ଏହାର ପଡ଼ୋଶୀ ଦେଶ ସହିତ ଭାରତର ପ୍ରତିରକ୍ଷା ସମ୍ପର୍କରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ। ଏହି ବୁଝାମଣା ଦ୍ୱାରା ନୂଆଦିଲ୍ଲୀ ଓ କଲମ୍ବୋ ମିଳିତ ସାମୁଦ୍ରିକ ନିରୀକ୍ଷଣ, ସାମରିକ ଅଭ୍ୟାସ ଓ ଉପକରଣ ସହାୟତା କ୍ଷେତ୍ରରେ ରଣନୈତିକ ଦୃଷ୍ଟିରୁ ନିକଟତର ହେବେ।ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀଲଙ୍କାରେ ୨୦୨୨ ଅର୍ଥନୈତିକ ସଙ୍କଟ ସୃଷ୍ଟି ହେବା ପରେ ଏହାର ପୁନଃନିର୍ମାଣରେ ଭାରତର ଭୂମିକା ଉପରେ ଆଲୋକପାତ କରିଥିଲେ। ଶ୍ରୀଲଙ୍କାକୁ ସଙ୍କଟରୁ ମୁକୁଳିବା ପାଇଁ ୪ ନିୟୁତ ଆମେରିକୀୟ ଡଲାର ପ୍ରଦାନ କରିବା ପରେ ଭାରତ ଋଣ ଉପରେ ସୁଧ ହାର ହ୍ରାସ କରି ଦ୍ୱୀପଦେଶକୁ ସାହାଯ୍ୟ ଜାରି ରଖିବାକୁ ଇଚ୍ଛା ପ୍ରକାଶ କରିଛି। ମୋଦୀ କହିଛନ୍ତି, ଗତ ୬ ମାସ ମଧ୍ୟରେ ଆମେ ୧୦୦ ନିୟୁତ ଡଲାରରୁ ଅଧିକ ଋଣକୁ ଅନୁଦାନରେ ପରିଣତ କରିଛୁ। ଆମର ଦ୍ୱିପାକ୍ଷିକ ଋଣ ପୁନର୍ଗଠନ ଚୁକ୍ତି ଶ୍ରୀଲଙ୍କାର ଜନସାଧାରଣଙ୍କ ପାଇଁ ତୁରନ୍ତ ସହାୟକ ହେବ। ଆଜି ଆମେ ସୁଧ ହାର ହ୍ରାସ କରିବାକୁ ନିଷ୍ପତ୍ତି ନେଇଛୁ। ପରବର୍ତ୍ତୀ ବିକାଶ ପାଇଁ ପାଖାପାଖି ୨୪୦ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ସୂଚନାଯୋଗ୍ୟ, ଶ୍ରୀଲଙ୍କା ଏବେ ଚୀନ୍‌ର ରୁଣ ଜାଲ୍‌ରୁ ମୁକ୍ତି ପାଇବା ପାଇଁ ପ୍ରୟାସ ଜାରି ରଖିଛି ଏବଂ ଭାରତର ସହାୟତାକୁ ଅଧିକ ଗୁରୁତ୍ବ ଦେଉଛି। ଆଜି ପ୍ରଧାନମନ୍ତ୍ରୀ  ତ୍ରିଙ୍କୋମାଲିରେ ୧୨୦ ମେଗାୱାଟ କ୍ଷମତା ବିଶିଷ୍ଟ ସୌର ଶକ୍ତି ପ୍ଲାଣ୍ଟ ପାଇଁ ଭାରତର ଜାତୀୟ ତାପଜ ଶକ୍ତି ନିଗମ ଏବଂ ଶ୍ରୀଲଙ୍କାର ସିଲୋନ ଇଲେକ୍ଟ୍ରିସିଟି ବୋର୍ଡ ମଧ୍ୟରେ ମିଳିତ ଉଦ୍ୟୋଗରେ ସ୍ୱାକ୍ଷର କରିଛନ୍ତି ଯାହା ଦ୍ୱୀପ ଦେଶର ବଢୁଥିବା ଶକ୍ତି ଆବଶ୍ୟକତାକୁ ପୂରଣ କରିବ।

Leave a Reply

Your email address will not be published. Required fields are marked *