ରାଜଧାନୀରେ ୬୭୭ ଡେଙ୍ଗୁ ରୋଗୀ ଚିହ୍ନଟ
ବର୍ତ୍ତମାନ ଡେଙ୍ଗୁ ସ୍ଥିତି ଅନେକାଂଶରେ ନିୟନ୍ତ୍ରଣ ରହିଛି । ଚଳିତବର୍ଷ ରାଜଧାନୀରେ ଡେଙ୍ଗୁ ରୋଗ କମିଛି । ସହରାଞ୍ଚଳ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ କହୁଛି, ଜାନୁଆରୀରୁ ନେଇ ଚଳିତ ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ମୋଟ ୩୨୦ ରୋଗୀ ଚିହ୍ନଟ ହୋଇଛନ୍ତି ।ଗତ ୨୪ଘଣ୍ଟାରେ ଜଣେ ରୋଗୀ ଠାବ ହୋଇଛନ୍ତି । ସେଥିମଧ୍ୟରେ ପଟିଆ, ନୂଆପଲ୍ଲୀ, ପ୍ରଶାନ୍ତି ବିହାର, ସହିଦନଗର, ସାଲିଆ ସାହି, ଶିଖରଚଣ୍ଡି ନଗର ହଟସ୍ପଟ ଭାବେ ଗଣାଯାଇଛି । ଏହି ସବୁ ଅଞ୍ଚଳରେ ଅଧିକ ରୋଗୀ ରହିଛନ୍ତି । ଏହାକୁ ମିଶାଇ ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ଏପର୍ଯ୍ୟନ୍ତ ୬୭୭ ରୋଗୀ ଠାବ କରାଗଲାଣି । ଖୋର୍ଦ୍ଧା ଜିଲ୍ଲାରେ ମେଣ୍ଢାଶାଳ, ବାଲିପାଟଣା, ବାଳକାଟି ଆଦି ଅଞ୍ଚଳରେ ଅଧିକ ରୋଗୀ ରହିଛନ୍ତି ।ଏ ବର୍ଷ ଜୁଲାଇରେ ସର୍ବାଧିକ ୧୮୮ ଓ ଅଗଷ୍ଟରେ ୧୪୫ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ନଭେମ୍ବରରେ ମାତ୍ର ୨୦ଜଣ ରୋଗୀ ଠାବ ହୋଇଛନ୍ତି । ଏବେବି ପ୍ରତିଦିନ ଜଣେ, ଦୁଇଜଣ ରୋଗୀ ବାହାରୁଛନ୍ତି । ଡେଙ୍ଗୁ ଚିହ୍ନଟ ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ ହସ୍ପିଟାଲ, ପଟିଆ ଓ ଆଇଆରସି ଭିଲେଜ୍ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନମୁନା ପରୀକ୍ଷା ବି ହେଉଛି । ଉଭୟ ସ୍ୱାସ୍ଥ୍ୟ ବିଭାଗ ଓ ଭୁବନେଶ୍ୱର ମହାନଗର ନିଗମର ମିଳିତ ସହଯୋଗରେ ଡେଙ୍ଗୁ କାୟାକୁ ରୋକାଯାଇଥିବା ବେଳେ ଏବେ ମଶାଙ୍କ ପ୍ରାର୍ଦୁଭାବ ପୁଣି ଚିନ୍ତା ବଢ଼ାଇଲାଣି ।
ଏ ପର୍ଯ୍ୟନ୍ତ ଭୁବନେଶ୍ୱରରେ ମୋଟ ୯୬ହଜାରରୁ ଅଧିକ ମଶା ଉତ୍ପତିସ୍ଥଳ ଠାବ କରାଯାଇଥିବା ବେଳେ ସବୁଠି ଆଣ୍ଟି ଲାର୍ଭା ତେଲ ସିଞ୍ଚନ କରାଯାଇଛି । ବିଶେଷକରି ସ୍କୁଲକୁ ଅଧିକ ଫୋକସ୍ କରାଯାଇଛି । ପ୍ରତିଦିନ ଗୋଟିଏ, ଦୁଇଟି ସ୍କୁଲ ବୁଲି ସେଠାରେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଉଛି ସ୍ୱାସ୍ଥ୍ୟ ବିଭାଗ । ଏପର୍ଯ୍ୟନ୍ତ ୩୦୬ଟି ସ୍କୁଲ ପରିସରକୁ ସଫାସୁତୁରା କରାଯାଇଛି । ପ୍ରତିଦିନ ଏହିଭଳି ଅଭିଯାନ ଚାଲିଥିବା ସହରାଞ୍ଚଳ ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ।
