ଦେଶରେ ଖୋଲିବ ୫୭ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଓଡ଼ିଶାରେ ୬

ଦେଶରେ ଖୋଲିବ ୫୭ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଓଡ଼ିଶାରେ ୬

କେନ୍ଦ୍ର ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ସାରା ଦେଶରେ ୫ ହଜାର ୮୬୨ କୋଟି ଟଙ୍କାରୁ ଅଧିକ ବ୍ୟୟରେ ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାକୁ ଅନୁମୋଦନ କରିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ପିଲାମାନଙ୍କ ଶିକ୍ଷାଗତ ଆବଶ୍ୟକତାକୁ ସହଜ କରିବା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ନ ଥିବା ଜିଲ୍ଲା ଗୁଡିକରେ ୨୦ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ।ସେ କହିଛନ୍ତି ଯେ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ୧୪ଟି କେନ୍ଦ୍ରୀୟ ବିଦ୍ୟାଳୟ, ବାମପନ୍ଥୀ ଉଗ୍ରବାଦ ଜିଲ୍ଲାଗୁଡ଼ିକରେ ୪ଟି ଏବଂ ଉତ୍ତର-ପୂର୍ବ କ୍ଷେତ୍ର ଓ ପାହାଡ଼ିଆ ଅଞ୍ଚଳରେ ୫ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାର ପ୍ରସ୍ତାବ ରହିଛି।

ମନ୍ତ୍ରୀ କହିଛନ୍ତି ଯେ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଦ୍ୱାରା ୮୭ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ ଏବଂ ୪ ହଜାର ୬୦୦ ଅତିରିକ୍ତ ଶିକ୍ଷକ ପଦବୀ ସୃଷ୍ଟି ହେବ। ନୂତନ ଜାତୀୟ ଶିକ୍ଷାନୀତି ପାଇଁ ଆଦର୍ଶ ବିଦ୍ୟାଳୟ ଭାବରେ, ପ୍ରଥମ ଥର ପାଇଁ ଏହି ୫୭ଟି କେନ୍ଦ୍ରୀୟ ବିଦ୍ୟାଳୟକୁ ବାଲଭାଟିକା ସହିତ ମଞ୍ଜୁର କରାଯାଇଛି।ଏହି ପ୍ରସ୍ତାବରେ ଓଡ଼ିଶାର ୬ଟି ସ୍ଥାନରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ମଞ୍ଜୁରୀ ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି ଏହି ନୂତନ ବିଦ୍ୟାଳୟଗୁଡ଼ିକ ପ୍ରତିଷ୍ଠା ହେବାକୁ ଥିବା ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଆବଶ୍ୟକତା ପୂରଣ କରିବାରେ ଏକ ବଡ଼ ପଦକ୍ଷେପ ହେବ। ଏହି ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ପାଇଁ ମୋଟ ୫୮୬୨.୫୫ କୋଟି ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଛି।କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ପାଇଁ ପୁଞ୍ଜିଗତ ବ୍ୟୟ ୨୫୮୫.୫୨ କୋଟି ଟଙ୍କା ଥିବାବେଳେ ବିଦ୍ୟାଳୟର ପରିଚାଳନା ପାଇଁ ୩୨୭୭.୦୩ କୋଟି ଟଙ୍କା ଖର୍ଚ୍ଚ ହେବ